ପୁରୀ : ମହାପ୍ରଭୁଙ୍କ ମହାସ୍ନାନ ପରେ ଏବେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଏବେ ଜ୍ୱରରେ ପଡିଛନ୍ତି ମହାବିଗ୍ରହ । ଯାହାଫଳରେ ଏବେ ଜାରି ରହିଛି ମହାପ୍ରଭୁଙ୍କ ଅନବସର ନୀତି । ସ୍ନାନପୂର୍ଣ୍ଣିମା ରାତିରୁ ଅସୁସ୍ଥ ଶ୍ରୀଜିଉ ଜ୍ୱର ଜନିତ ଅସୁସ୍ଥତା କାରଣରୁ ଅଣସର ପିଣ୍ଡିରେ ଅଟକି ରହିଛନ୍ତି । ଅସୁସ୍ଥ ଶ୍ରୀବିଗ୍ରହଙ୍କ ରୋଗ ନିରାକରଣ ପାଇଁ ଗୋପନୀୟ ଚିକିତ୍ସା ସେବା ଅଣସର ପିଣ୍ଡିରେ ଆରମ୍ଭ ହୋଇଛି । ଆଜି ଅଣସରର ତୃତୀୟ ଦିନରେ ଶ୍ରୀବିଗ୍ରହଙ୍କ ଓଦାବସ୍ତ୍ର ଫିଟା ନୀତି ସମ୍ପନ୍ନ ହେବ ବୋଲି ସେବାୟତ କହିଛନ୍ତି । ସ୍ୱତନ୍ତ୍ର ନୀତି କାନ୍ତିରେ କରାଯାଉଛି ବଡ ଦିଅଁଙ୍କ ସେବା । ଏବେ ମହାପ୍ରଭୁ ଅଣସରରେ ରହିଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି ଓ ପଟି ଦିଅଁ ପୂଜା ପାଉଛନ୍ତି । ସେପଟେ ଅଣସର ସମୟରେ ମହାପ୍ରଭୁଙ୍କୁ ଅଲାରନାଥରେ ଦର୍ଶନ କରାଯାଇଥାଏ ଯାହା ପାଇଁ ଏହି ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ଚଳିତ ବର୍ଷ କିନ୍ତୁ କରୋନା କଟକଣା ମଧ୍ୟରେ ସ୍ନାନଯାତ୍ରା ହୋଇଥିବାରୁ ମହାପ୍ରଭୁଙ୍କ ସମସ୍ତ ନୀତି କଟକଣା ମଧ୍ୟରେ କରାଯାଉଛି । ଅଲାରନାଥ ପୀଠ ରେ ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ ହୋଇଛି । ଏପଟେ ମହାପ୍ରଭୁଙ୍କ ଅନବସର ନୀତିରେ ଏବେ ସ୍ୱତନ୍ତ୍ର ଗୁପ୍ତ ନୀତି ଦ୍ୱରା ମହାପ୍ରଭୁଙ୍କ ଜ୍ୱର ଭଲ କରିବା ସେବାୟତ ମାନେ ଲାଗିପଡିଛନ୍ତି । ଅଣସର ପିଣ୍ଡିରେ ସେବାୟତଙ୍କ ଦ୍ୱାରା ଜାରି ରହିଥିବା ଗୁପ୍ତ ନୀତିରେ ଆଜି ମହାପ୍ରଭୁଙ୍କରେ ଓଦା ବସ୍ତ୍ର ଲାଗି କରାଯିବ । ଦଇତାପତି ସେବକଙ୍କ ସୂଚନା ମୁତାବକ ପୂର୍ଣ୍ଣିମା ତିଥିର ସ୍ନାନଯାତ୍ରାରେ ମାତ୍ରାଧିକ ଜଳ ଲାଗି କାରଣରୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଓଦା ହୋଇଯାଇଛି। ଏହି ଓଦା ବସ୍ତ୍ରକୁ ଶନିବାର ରାତିରେ ଦଇତାପତି ସେବକମାନେ ଗୋପନ ସେବାରେ ଫିଟାଇବେ। ଗୋପନ ନୀତିର ଓଦା ବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣାଭୋଗ ସରିବା ପରେ ବେହରଣ ଦ୍ୱାର ଖୋଲିବ। ଅଣସର ବାସରେ ଠାକୁରଙ୍କୁ ଧଳା ଫୁଲ ଲାଗି ହେବାର ପରମ୍ପରା ମଧ୍ୟ ଆରମ୍ଭ ହୋଇଛି। ଓଦାବସ୍ତ୍ର ଫିଟିବା ପରେ ଜୟବିଜୟ ଦ୍ୱାର ଖୋଲାଯାଇ ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଭୋଗ ଲାଗି ହେବ ।