ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏକାମ୍ର ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ ଏଥର ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପୁଲିସ ନିୟୋଜିତ ହେବେ। ମନ୍ଦିର ବାହାରେ ପୁଲିସ କଣ୍ଟ୍ରୋଲ୍ ରୁମ୍ ରହିବ ଓ ପୂରା ଅଞ୍ଚଳରେ ୩୨ଟି ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି। କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରିବେ। ସବୁ ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର କରିବା ସହିତ ହାତ ସାନିଟାଇଜ୍ କରିବେ। ସବୁ ଭକ୍ତ ଓ ସେବାୟତଙ୍କ ର୍ଥମାଲ ଟେଷ୍ଟ କରାଯିବ। ସନ୍ଦେହ ଉପୁଜିଲେ ଆଣ୍ଟିଜେନ୍ ଟେଷ୍ଟ୍ କରାଯିବ। ଭକ୍ତମାନେ ଧାଡ଼ି ବାନ୍ଧି ମନ୍ଦିରକୁ ପ୍ରବେଶ କଲା ବେଳେ ୬ଫୁଟ୍ ସାମାଜିକ ଦୂରତା ରକ୍ଷା କରିବେ। ବଡ଼ କଥା ହେଉଛି ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମହାଦୀପ ଉଠିବା ପରେ ଆଉ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ବା ବାହାରେ କରୋନା କଟକଣା ମାନି ଦୀପ ଜାଳିବେ। ମନ୍ଦିର ସମ୍ମୁଖ ବାମ ପାର୍ଶ୍ବରେ କଣ୍ଟେନର୍ ରଖାଯାଇଛି। ମନ୍ଦିର ତିନି ପାର୍ଶ୍ବ ଦ୍ବାର ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟେଚର୍ ରଖାଯିବ। ଯାତ୍ରା ଭିଡ଼ରେ ଲୁଟେରା ଓ ଅସାମାଜିକ ତତ୍ତ୍ବଙ୍କ ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ୩୨ଟି ସିସିଟିଭି କ୍ୟାମେରା ଲାଗି। ସେହିଭଳି ସାଦା ପୋଷାକରେ ଉଭୟ ପୁରୁଷ ଓ ମହିଳା ପୁଲିସ ଭିଡ଼ ଭିତରେ ବୁଲିବେ। ଭିଡ଼ ଭିତରକୁ ସୁନା ଗହଣା ପିନ୍ଧି ନ ଆସିବାକୁ ବିଶେଷ ଅନୁରୋଧ କରାଯାଇଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ, ଏସିପି ବିଷ୍ଣୁ ଚରଣ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।