ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଜେପି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେଙ୍କ ନାଁ ରହିଛି। ଫଡନାଭିସ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ଟିକେଟ ପାଇଥିବା ବେଳେ ଚନ୍ଦ୍ରଶେଖର କାମଥି ଆସନରୁ ବିଜେପି ଟିକେଟରେ ଲଢ଼େଇ କରିବେ। ଦଳ ଏଥର ପ୍ରଦେଶ ସଭାପତି ଚନ୍ଦ୍ରଶେଖର ବାଓ୍ୱନକୁଲେଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ତାଙ୍କୁ କାମଠିରୁ ଟିକେଟ୍ ଦିଆଯାଇଛି । ୨୦୧୯ ବିଧାନସଭା ନିର୍ବାଚନରେ ଦଳ ବାଓ୍ୱନକୁଲେଙ୍କୁ ଟିକେଟ୍ ଦେଇ ନ ଥିଲା । ଏଥର ଦଳ ତାଙ୍କ ଉପରେ ଭରସା କରିଛି । ଏହାସହ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ବରିଷ୍ଠ ନେତା ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟା ଚୌହାନଙ୍କୁ ଦଳ ଭୋକରରୁ ଟିକେଟ୍ ଦେଇଛି । ଦଳ ପ୍ରଥମ ତାଲିକାରେ ଶ୍ରୀଜୟାଙ୍କ ସମେତ ୧୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେପଟେ କଣକଓ୍ୱଲି ଆସନରୁ ନୀତୀଶ ନାରାୟଣ ରାଣେଙ୍କୁ ଏବଂ ଘାଟକୋପର ୱେଷ୍ଟରୁ ରାମ କଦମଙ୍କୁ ଦଳ ପ୍ରାର୍ଥୀ ଭାବରେ ଛିଡ଼ା କରାଇଛି । ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ମିଳିତ ଭାବରେ ନିର୍ବାଚନ ଲଢ଼ୁଛି । ଏଥିରେ ବିଜେପି, ଶିବସେନା (ସିନ୍ଦେ ଦଳ) ଓ ଏନ୍ସିପି (ଅଜିତ୍ ଦଳ) ଅନ୍ତର୍ଭୁକ୍ତ । ସିଟ୍ ଆବଣ୍ଟନକୁ ନେଇ ଗତ ଦୁଇ ଦିନ ଧରି ଅନୁଷ୍ଠିତ ବୈଠକ ପରେ ଆଜି ବିଜେପି ନିଜର ପ୍ରଥମ ତାଲିକା ଜାରି କରିିଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୨୦ରେ ମତଦାନ ହେବ ଏବଂ ୨୩ରେ ଫଳାଫଳ ବାହାରିବ ।