ମହାକୁମ୍ଭରେ ଲଜ୍ୟାର ବିଷୟ । ମହାକୁମ୍ଭ ନାଁରେ ସୋସିଆଲ ମିଡିଆରେ ବିକ୍ରି ହେଉଛି ମହିଳାଙ୍କ ଭିଡିଓ । ଶହେରୁ ଅଧିକ ଆକାଉଣ୍ଟରେ ଚାଲିଛି ଏଭଳି କାରବାର । ଘଟଣା ପଦାକୁ ଆସିବା ପରେ ତତ୍ପର ୟୁପି ପୋଲିସ ।
ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ । ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରନ୍ଧାଳୁ ଆସି ବୁଡ଼ ପକାଉଛନ୍ତି ଏହି ପବୀତ୍ର ସ୍ଥାନରେ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଯୁବତୀ, ଝିଅ, ମହିଳା ମଧ୍ୟ ଅଛନ୍ତି । ଯେଉଁମାନେ ସଙ୍ଗମରେ ବୁଡ଼ ପକାଇ ନିଜକୁ ଧନ୍ୟ ମନେ କରୁଛନ୍ତି । କିନ୍ତୁ ଏବେ ମହାକୁମ୍ଭରୁ କିଛି ଏମିତି ଲଜ୍ୟାର କଥା ସାମ୍ଭାକୁ ଆସିଛି ଯାହାକୁ ଶୁଣି ବୁଡ଼ ପକାଇଥିବା ମହାଳା ଓ ଯୁବତୀ ଦୁଃଖ ଓ ଭୟରେ ରହିଛନ୍ତି ।
ସରକାରୀ ଆକଳନ ମୁତାବକ ମହାକୁମ୍ଭରେ ପାଖାପାଖି ୫୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇ ସାରିଲେଣି । ଏବେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ରହିଛି । ଏହି ସମୟରେ କିଏ କାହାର ଫଟୋ , ଭିଡିଓ ଉଠାଉଛି ଜାଣିବା କଷ୍ଟକର । ଏଭଳି ପରିସ୍ଥିତିରେ ଯୁବତୀ ଓ ମହିଳାଙ୍କ ବୁଡ଼ ପକାଉଥିବା ଓ ପୋଷାକ ବଦଳୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରା ଯାଉଛି । ଆହୁରି ଲଜ୍ୟାର କଥା ହେଉଛି ଏହି ଫଟୋ ସବୁ ବିକ୍ରି ହେଉଛି ଅନଲାଇନରେ । ମହାକୁମ୍ଭ ଭଳି ପବିତ୍ର ସ୍ଥାନକୁ ଆସି ଏଭଳି ଅପବିତ୍ର ମାନସିକତା ରଖୁଥିବା ଲୋକଙ୍କୁ କଣ କୁହାଯିବ ତାହା ଆପଣ ଥରେ ବିଚାର କରନ୍ତୁ । ଏଭଳି ଫଟୋ ଓ ଭିଡିଓ ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟୁ୍ୟବ ଭଳି ପ୍ଲାଟଫର୍ମରେ ଖୁଲମଖୁଲା ମହାକୁମ୍ଭର କିଛି ହାସଟ୍ୟାଗ୍ ବ୍ୟବହାର କରାଯାଇ ସେୟାର କରା ଯାଉଛି । କିଛି ଆକାଉଣ୍ଟରେ ତ ଏଭଳି ଭିଡିଓ ୫୦ରୁ ଅଧିକ ସଂଖ୍ୟାରେ ଅପଲୋଡ ହୋଇଛି । କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୧୨ରୁ ୧୮ ଫେବୃଆରୀ ମଧ୍ୟରେ ଟେଲିଗ୍ରାମରେ ଓପନ୍ ବାଥିଙ୍ଗ୍ ନାଁରେ ଅଧିକ ସର୍ଚ କରା ଯାଉଛି । ମହିଳାଙ୍କ ସମ୍ମାନକୁ ଲୋକ ଏମିତି ଖୁଲମଖୁଲା ବିକ୍ରି କରିବାକୁ ଟିକେ ହେଲେ ପଛାଉ ନାହାନ୍ତି ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ୟୁପି ପୋଲିସର ତତ୍ପରତା ଦେଖିବାକୁ ମିଳିଛି । ୧୦୧ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଅନେକଙ୍କୁ ଏବେ ଯାଏଁ ହୋଇ ସାରିଲାଣି ନୋଟିସ୍ । ଆଗକୁ ସେମାନେ ଗିରଫ ହୋଇ ପାରନ୍ତି ବୋଲି ସୂଚନା ମିଳୁଛି । ଏହାସହ ଭିଡିଓକୁ ହଟାଇବା ପାଇଁ ମଧ୍ୟ ମେଟା ସଂସ୍ଥାର ସହଯୋଗ ନିଆ ଯାଉଛି ।