୧୪୪ ବର୍ଷ ପରେ ୟୁପି ପ୍ରୟାଗରାଜରେ ମହାକୁମ୍ଭ । ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ୪୭ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି । ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ୟ୍ୟନ୍ତ ଆସ୍ଥାର ବୁଡ଼ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ଯୋଗୀ ଆଦିତ୍ୟନାଥ, ଅଖିଲେଶ ଯାଦବ ଆଦି ବହୁ ବରିଷ୍ଠ ନେତା ସଙ୍ଗମରେ ସ୍ନାନ କରିଛନ୍ତି । ଏପଟେ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି । ପୂର୍ବହ୍ଣ ୧୧ଟାରେ ପହଞ୍ଚି ମହାମହିମ ପ୍ରଥମେ ପବିତ୍ର ସ୍ନାନ କରିଛନ୍ତି । ପରେ ପ୍ରୟାଗରାଜରେ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ତୀର୍ଥରାଜ ପ୍ରୟାଗରେ ବୁଡ଼ ପକାଇଛନ୍ତି । ଏହା ପରେ ସୂର୍ୟ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ ରାଷ୍ଟ୍ରପତି । ପ୍ରୟାଗରାଜରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ୟ୍ୟକ୍ରମ ରହିଛି । ସେ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିର ଯାଇ ସେଠା ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରୟାଗରାଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ । ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ । ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଖାଦ୍ୟ ଦେଇଥିଲେ ରାଷ୍ଟ୍ରପତି । ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ। ବୁଡ଼ ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ୟ୍ୟନ୍ତ ରହିବା କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ।