କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜଣେ ବୃଦ୍ଧ, ଜଣେ ମହିଳା, ଜଣେ ଯୁବକ ଏବଂ ୩ ବର୍ଷର ଶିଶୁ ଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ଯୁବକ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାରେ ସ୍ଥଳରେ ଥିବା କିଛି କମ୍ପାନୀ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ୨ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ । ତେବେ ଚାପି ହୋଇ ରହିଯାଇଥିବା ଡ୍ରାଇଭର ସହ ଅନ୍ୟ ଜଣେ ସମ୍ପର୍କୀୟ ଯୁବକଙ୍କୁ ବାହାର କରିବା ସମ୍ଭବ ନ ହେବାରୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାର , ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ତେବେ ଗୁରୁତର ଥିବା ୪ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।