ବ୍ୟୁରୋ : ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାଦିୟ ବୟାନ । ନିଜ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଢାଲ କରି ପ୍ରଚାର ଆରମ୍ଭ କରିଛନ୍ତି ସତ, କିନ୍ତୁ ନିଜର ଆତ୍ମବଡ଼ିମା ଦେଖାଇବାକୁ ଯାଇ ଶ୍ରୀମୟୀଙ୍କ ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜର ଶସ୍ତା ଟିପ୍ପଣୀ ଦେଇଛନ୍ତି ! ମନ୍ମଥଙ୍କ ଏଭଳି ଟିପ୍ପଣୀ ଶ୍ରୀମୟୀଙ୍କ ସମର୍ଥକଙ୍କ ପାଇଁ କଟାଘା’ରେ ଚୂନ ସଦୃଶ ହୋଇଛି । ଯାହାକି ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତକାଲି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ । ବିଜେଡି ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ଦଳର ସ୍ଥାନୀୟ ବରିଷ୍ଠ ନେତାମାନଙ୍କ ସହ ସେ ପ୍ରଚାର କରିଥିଲେ। ତେବେ ଏହି ପ୍ରଚାର କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଜେଡି ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କୁ ଦେଖିବାକୁ ମିଳିନଥିଲା ।
ଶ୍ରୀମୟୀଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ପ୍ରଶ୍ନ କରିଥିଲେ ମନ୍ମଥ ଅତ୍ୟନ୍ତ ବେପରୁୱା ଢଙ୍ଗରେ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିବା ଦେବାକୁ ମିଳିଥିଲା । ଶ୍ରୀମୟୀଙ୍କୁ ଆକ୍ଷେପ କରି ମନ୍ମଥ କହିଥିଲେ ଯେ, ସେ ହେଉଛନ୍ତି ଦଳର ଗୋଟେ କର୍ମୀ । ଦଳ ପାଇଁ ସେ କିଛି ବି ତ୍ୟାଗ କରିପାରିବେ । ଦଳ ପାଇଁ କେଉଁବି ରୋଲ୍ ତୁଲାଇ ପାରିବେ । ଏମିତି କର୍ମୀଙ୍କ ପାଇଁ ବିଜେଡି ଶକ୍ତିମାନ ହୋଇଛି ବୋଲି ସେ କହିଥିଲେ ।
ମନ୍ମଥଙ୍କ ଏଭଳି ଟିପ୍ପଣୀକୁ ନେଇ ଶ୍ରୀମୟୀଙ୍କ ସମର୍ଥକମାନେ ସୋଶାଲ ମିଡିଆରେ କଡ଼ା ଟିପ୍ପଣୀ ଦେଇଥିବା ଦେଖିବାକୁ ମିଳିଛି । ନିଜର ବଡ଼ିମା ଦେଖାଇବାକୁ ଯାଇ ଶ୍ରୀମୟୀଙ୍କ ପ୍ରତି ଏଭଳି ଶସ୍ତା ଟିପ୍ପଣୀ ଦେବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଦୀର୍ଘ ୧୩/୧୪ବର୍ଷ ଧରି ଦଳ ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛି । ଶ୍ରୀମୟୀଙ୍କ ସାଂଗଠନିକ ଦକ୍ଷତା ବି ରହିଛି । କିନ୍ତୁ ସୁର ରାଉତରାୟଙ୍କ ପରିଚୟରେ ପରିଚିତ ମନ୍ମଥ ଯଦି ଏସବୁ ନ ଜାଣି ଶ୍ରୀମୟୀଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଉଥିବେ ଓ ଶ୍ରୀମୟୀଙ୍କୁ ଜଣେ କର୍ମୀ କହି ନିଜର ବଡ଼ିମା ଦେଖାଉଥିବେ, ତାହା କେବଳ ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ୀ ମାରିବା ସହ ସମାନ ବୋଲି କୁହାଯାଇ ପାରିବ ।