ଅନୁଗୋଳ : ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିବ ସୁନ୍ଦରୀ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି, ସୁନ୍ଦରୀର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଆଜି ମଧ୍ୟପ୍ରଦେଶରୁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍। ମଧ୍ୟପ୍ରଦେଶରୁ ଅନୁଗୁଳ ସାତକୋଶିଆକୁ ୬ ଜଣିଆ ଟିମ୍ ଆସୁଥିବା ପିସିସିଏଫ୍ ସୂଚନା ଦେଇଛନ୍ତି। କାହ୍ନା ବ୍ୟାଘ୍ର ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ, ଜଣେ ଡାକ୍ତରଙ୍କ ସମେତ ୫ ଜଣ କର୍ମଚାରୀ ଏହି ଟିମ୍ରେ ସାମିଲ୍ ଅଛନ୍ତି । ବାଘୁଣୀକୁ ଘୋରେଲା ରିୱାଇଲ୍ଡ଼ିଂ ସେଣ୍ଟରକୁ ନିଆଯାଇ ସେଠାରେ ତାର ଜଙ୍ଗଲୀ ପ୍ରକୃତି ଫେରାଇ ଅଣାଯିବା ପାଇଁ ଉଦ୍ୟମ ହେବ । ସେମାନେ ଆସି ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ। ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ ଜଣାଇବ। ସୁନ୍ଦରୀକୁ ରଖିବା ଲାଗି ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ଯନ୍ତା ରଖାଯାଇଛି । ତା ଭିତରକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ସ୍ୱାଭାବିକ ଚରିତ୍ର ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯିବ । ତେବେ ସୁନ୍ଦରୀକୁ ଆଣିବା ଯେତିକି ବାଧା ଥିଲା, ସେତିକି ଶିକ୍ଷା ମଧ୍ୟ ଥିଲା ବୋଲି ପିସିସିଏଫ୍ ଶଶୀ ପଲ୍ କହିଛନ୍ତି । ତେବେ ଏ ପ୍ରକଳ୍ପ ବିଫଳ ହୋଇନାହିଁ । ଏନ୍ଟିସିଏ ନିୟମାବଳୀ ଆଧାରରେ ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି।