ମଣିପୁରରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସାରା ରାଜ୍ୟରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଓ ସାଧାରଣ ଇଣ୍ଟରନେଟ୍/ଡାଟା ସେବାକୁ ବନ୍ଦ କରାଯାଇଛି। ଗତ ୨୩ ତାରିଖରେ ରାଜ୍ୟରେ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରାଯାଇଥିବାବେଳେ ପୁନର୍ବାର ଏହାକୁ ବନ୍ଦ କରାଯାଇଛି। ଏହା ସହିତ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଶୁକ୍ରବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।
ଇମ୍ଫାଲରେ ଦୁଇଜଣ ଯୁବକଙ୍କ ହତ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ପୁଲିସର ଲାଠି ମାଡରେ ୪୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅନେକ ଛାତ୍ରୀ ରହିଛନ୍ତି। ଗତ ମେ ମାସରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ହିଂସାକୁ ନେଇ ଗତ ଜୁଲାଇରେ ଦୁଇଜଣ ଛାତ୍ରଙ୍କୁ ଅପହରଣ କରାଯାଇଥିଲା। ଅପହୃତ ଦୁଇ ଛାତ୍ରଙ୍କୁ ମଙ୍ଗଳବାର ହତ୍ୟା କରାଯିବା ପରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।