ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୫.୦୩): ଟାଣ ଖରା ଭିତରେ ମଙ୍ଗଳବାର ଠାରୁ ଦୁଇ ଦିନ ଧରି ବିଜୁଳି ଘଡ ଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, କେନ୍ଦୁଝର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ସେପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସମେତ ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳରେ ଟାଣ ଖରା ହେଉଥିବାରୁ ଗରମ ଅନୁଭୂତ ହେଉଛି । ଶନିବାର ୮ଟି ସହରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁର ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୮.୫ ଡିଗ୍ରୀ ରହିଛି ।