ଗଜପତି : ଆଜି ଦେଶର ଚତୁର୍ଥ ତଥା ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ । ଏନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନସ୍ଥ ଗଜପତି ଜିଲ୍ଲାର ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ମତଦାନ କରୁଛନ୍ତି ଜନତା । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀର ୫୭୩ଟି କେନ୍ଦ୍ରରେ ୪ ଲକ୍ଷ ୬୩ ହଜାର ୪୬୭ଜଣ ଭୋଟର ମତଦାନ କରୁଛନ୍ତି । ସେଥିମଧ୍ୟରୁ ୮୯ଟି କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ଯାହା ଉପରେ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ରଖିଥିବା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି । ସେହିପରି ୮୧ଟି ଆଦର୍ଶ ମଦତାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୫୭ଟି ସଖୀ କେନ୍ଦ୍ର ରହିଥିବା ବେଳେ ୫ଟି ଯୁବକ ପରିଚାଳିତ, ୫ଟି ପରିବେଶ ଅନୁକୂଳ ଏବଂ ୨ଟି ପିଭିଟିଜି ବୁଥ ରହିଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ମୋହନା, ରା.ଉଦୟଗିରି,ନୂଆଗଡ ଏବଂ ରାୟଗଡ ବ୍ଲକକୁ ନେଇ ଗଠିତ ମୋହନା ନିର୍ବାଚନ ମଣ୍ଡଳୀରେ ୨୯୭ଟି କେନ୍ଦ୍ରରେ ୨,୪୫,୯୧୨ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ୧,୨୬,୫୬୮ଜଣ ମହିଳା, ୧,୧୯,୩୪୦ଜଣ ପୁରୁଷ ଏବଂ ୪ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି କାଶୀନଗର,ଗୁମ୍ମା,ଗୋଷାଣୀ,କାଶୀନର ଏନଏସପି ଏବଂ ପାରଳାଖେମୁଣ୍ଡି ପୌର ପରିଷଦକୁ ନେଇ ଗଠିତ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୬ଟି କେନ୍ଦ୍ରରେ ୨,୧୭,୫୫୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧,୧୦,୪୨୮ଜଣ ମହିଳା, ୧,୦୭,୧୧୦ଜଣ ପୁରୁଷ ଏବଂ ୧୭ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।