କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ । କଳାହାଣ୍ଡିର ଗୋଟିଏ ଲୋକସଭା ଓ 7 ଟି ବିଧାନସଭା ଭବାନୀପାଟଣା, ଧର୍ମଗଡ଼ ଲାଞ୍ଜିଗଡ଼, ନର୍ଲା, ଜୁନାଗଡ଼,ନୂଆପଡା ଓ ଖରିଆର ପାଇଁ ଭୋଟ ଗ୍ରହଣ କରାଯାଉଛି । ତେବେ ଏହି ଜିଲ୍ଲାରେ ମୋଟ 1412ଟି ବୁଥ ଥିବାବେଳେ 140ଟି ସମ୍ବେଦନଶୀଳ ବୁଥ ରହିଛି ସେଥିରୁ 115 ଟି ମାଓ ପ୍ରବଣ ଚିହ୍ନଟ କରାଯାଇଛି । ଏହି ବୁଥ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ଜଣାପଡ଼ିଛି । ସମ୍ବେଦନଶୀଳ ବୁଥରେ ସିସିଟିଭି ଓ ୱେବ କାଷ୍ଟ ବ୍ୟବସ୍ତା କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜିଲ୍ଲାରେ ୧୩୫ କେନ୍ଦ୍ରରେ କେବଳ ମହିଳା ପୋଲିଂ କର୍ମଚାରୀ ଏବଂ ୫ଟି ଭୋଟଗ୍ରହଣ କେନ୍ଦ୍ରରେ କେବଳ ଭିନ୍ନକ୍ଷମ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନାରେ ମୋଟ ୧୬ ଡିଏସ୍ପି, ୨୫ଜଣ ଇନ୍ସ୍ପେକ୍ଟର, ୨୮୨ ଜଣ ଏସ୍/ଏଏସ୍ଆଇ, ୩୯୯ ହାବିଲଦାର, ୧୯୨୬ କନେଷ୍ଟବଲ, ୮୫୨ ହୋମଗାର୍ଡ, ୬୨୯ ଜିଆର, ୧୯ ପ୍ଲାଟୁନ୍ ଏସ୍ଏପି, ୧୮ ସିଏପିଏଫ୍ ନିୟୋଜିତ କରାଯାଇଛି । ଜିଲ୍ଲାର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ମୋଟ ୨୯୬ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭବାନୀପାଟଣାରେ ୨୬୯ଟି, ନର୍ଲାରେ ୨୭୯ଟି, ଜୁନାଗଡ଼ରେ ୨୭୫ ଓ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ମୋଟ ୨୯୩ଟି ମତଦାନ କେନ୍ଦ୍ର କରାଯାଇଛି । ମୋଟ ୯୪୪୨ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୧୨୩୬ ମହିଳା ଅଫିସର ନିୟୋଜିତ କରାଯାଇଥିବା ଜଣାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଜିଲ୍ଲାରୁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୫ଟି ବିଧାନସଭା ଆସନରେ ୫୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ଜଣାଯାଇଛି ।