ଭୁବନେଶ୍ୱର ସିଆରପି ଛକ ଟୁକୁନା ଦାସ ହତ୍ୟାକାଣ୍ଡ ଘଟଣା । ବିଚ୍ ରାସ୍ତାରେ ହତ୍ୟାକାରୀକୁ ମାଡ଼ ମାରିବା ଓ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ପୋଲିସ । ଯୁବକକୁ ହତ୍ୟା ପରେ ପିସିଆର୍ ଭଙ୍ଗା ଓ ଅଭିଯୁକ୍ତମାନଙ୍କୁ ମାଡ଼ ମାମଲାରେ କମିଶନରେଟ୍ ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଶନିବାର ଏକ ପିକଅପ୍ ଭ୍ୟାନ୍ ଭିତରେ ଟୁକୁନା ଓରଫ୍ ଜଟିଆକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସାଲିଆସାହିର ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟି ଭ୍ୟାନ୍ ଭିତରେ ଜଟିଆକୁ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରିଥିଲେ। ଏ ସମ୍ପର୍କରେ ଖବର ପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଇ ଭାଇଙ୍କୁ ଉଦ୍ଧାର କରି ଭ୍ୟାନ୍ରେ ବସାଇଥିଲା। କିନ୍ତୁ ସ୍ଥାନୀୟ ଲୋକେ ପୁଲିସ ହାତରୁ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ସେପଟେ ଏହି ଘଟଣାକୁ ନେଇ ଶନିବାର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ରହିଛି। ସେ ଜାମିନରେ ଥିଲା। ଶନିବାର ଟୁକୁନା ଧରି ଥାନାକୁ ଆଣୁଥିଲେ ଦୁଇ ଭାଇ ସାଗର ଓ ସୁଧୀର। ରାସ୍ତାରେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା। ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ ଦୁଇ ଭାଇ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପୁଲିସ ୩ଟି ମାମଲା ରୁଜୁ କରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି ବୋଲି ପୁଲିସ କମିଶନର କହିଛନ୍ତି।