ବ୍ୟୁରୋ: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’। ଅଧିକ ଘନୀଭୂତ ହୋଇ ଏହା ଭୀଷଣ ବାତ୍ୟାରରେ ପରିଣତ ହୋଇଛି । ତେବେ ଆଜି ମଧ୍ୟରାତ୍ରୀରେ ସାଗର ଦ୍ବୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ରହିବା ସହିତ ସମୟେ ସମୟେ ଝଟକା ପବନ ୧୩୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ସମୁଦ୍ରରେ ୧.୫ ମିଟର ଉଚ୍ଚରେ ଜୁଆର ହେବାର ସମ୍ଭାବନା ରହିଛି।
ଆଜି ମଧ୍ୟରାତ୍ରରେ ବାତ୍ୟା ରେମାଲ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଏବଂ ଖେପୁପରା ମଧ୍ୟରେ, ମଙ୍ଗଲାର ଦକ୍ଷିଣପଶ୍ଚିମରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ଜାରି ରହିଛି । ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାକୁ ପ୍ରଶାସନ ସତର୍କ କରିଛି। ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି । ଦୀଘା ସମୁଦ୍ରକୂଳରେ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି । ଉଦ୍ଧାରକାର୍ୟ୍ୟ ପାଇଁ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି ।