ସମ୍ବଲପୁର ଭିସୁଟ ସଟଡାଉନ୍ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏହି ଘୋଷଣା କରିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ ଓ ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ । ଭିସୁଟ୍ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରା। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । ଏହା ସହ ବାହାର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ଗତକାଲି ଭିସୁଟ୍ର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଶୁକ୍ରବାର ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଆଉ ଜଣେ ଚିହ୍ନଟ ହୋଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା।