ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍ ଥିଲା । ବୁର୍ଲା ସ୍ଥିତ ଭିସୁଟର ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ଆଣ୍ଟିଜେନ୍ କିଟ୍ ଖରାପ ଥିବାରୁ ସମ୍ବଲପୁର ଭିସୁଟ୍ରେ ୨୫ ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଭିସୁଟରେ ୨୫ରୁ ଅଧିକ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆଜି ଏଭଳି କିଛି ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏ ନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସମ୍ବଲପୁର ଭିସୁଟ୍ରେ ୨୫ ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଆଣ୍ଟିଜେନ୍ କିଟ୍ ରେ ତ୍ରୁଟି ଥିବା ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ଗତ ୨୬ ଓ ୨୭ ତାରିଖକୁ ମିଶାଇ ମୋଟ୍ ୨୫ ଜଣ କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ଫଳରେ ବୁର୍ଲା ଭିସୁଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଇନଚାର୍ଜ ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଥିଲେ । ବୁର୍ଲା ଭିସୁଟର ପୁଲହ, ପୁଲସ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସେହିପରି ପୁଲହ ହଷ୍ଟେଲକୁ ଲାଗିକି ଥିବା ଅଂଚଳରୁ ବୋଫର ଜୋନ୍ ଘୋଷଣା କରାଯାଇଥିଲା ।