ପୁଣି ବିଜେପି ଜୁମଲାର ଶିକାର ହେଲେ ଅସହାୟ ବୃଦ୍ଧ,ବୃଦ୍ଧା,ବିଧବା ଏବଂ ଭିନ୍ନକ୍ଷମ ଭତ୍ତାଧିକାରୀ। ଗତ ସାଧାରଣ ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶୃତି ପାଳନ କରିବା ବଦଳରେ ପ୍ରତାରଣା କରିଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ତେବେ କ୍ଷମତା ଦଖଲ ପରେ ପ୍ରତିଶୃତିରୁ ଅହରିଯାଇ ବିଜେପି ବୃଦ୍ଧା, ବୃଦ୍ଧ,ଭିନ୍ନକ୍ଷମ ଓ଼ ବିଧବାମାନଙ୍କ ପ୍ରତି କରିଥିବା ଅବିଚାର ବିରୋଧରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟ ଆଗରେ ଭତ୍ତା ପ୍ରସଙ୍ଗକୁ ନେଇ ବିଜେଡିର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବିଜେଡ଼ି ବିଧାୟକ ରାଜକିଶୋର ଦାସ ଏବଂ ଦଳୀୟ ପ୍ରାର୍ଥୀନୀ ଥିବା ପ୍ରୀତିନନ୍ଦା କାନୁନଗୋଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ଼ ଶତାଧିକ ଭତ୍ତା ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ରାଜ୍ୟର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମାସିକ ୩୦୦୦ ଓ଼ ୩୫୦୦ ଟଙ୍କାକୁ ବୃଦ୍ଧି କରିବାର ପ୍ରତିଶୃତି ଦେଇଥିଲା ବିଜେପି l କିନ୍ତୁ କ୍ଷମତା ଦଖଲ ପରେ ରାଜ୍ୟ ବିଜେପି ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବଜେଟରେ କେବଳ ୮୦ ବର୍ଷ ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ଭତ୍ତା ଟଙ୍କାକୁ ୩୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି l ଫଳରେ ରାଜ୍ୟରେ ମୋଟ ୫୨ ଲକ୍ଷ ଭତ୍ତା ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଡବଲ ଇଞ୍ଜିନ ବିଜେପି ସରକାରର ପ୍ରତିଶୃତି ପାଣିରଗାର ବୋଲି କହିବା ସହିତ ଆଗାମୀ ଦିନରେ ଯଦି ଭତ୍ତା ବୃଦ୍ଧି କରାନଯାଏ ତାହାଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରୀତିନନ୍ଦା କାନୁନଗୋ ଓ଼ ରାଜକିଶୋର ଦାସ କହିଥିଲେ l ଶେଷରେ ଏନେଇ ରାଜ୍ୟପାଳଙ୍କ ଉଦ୍ଦଶ୍ୟରେ ମୋରଡା ବିଡ଼ିଓ ଅଣାକର ନାଏକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ପିଥନାଥ ସୋରେନ, ଜିଲ୍ଲା ପରିଷଦ ସଭ୍ୟା ଝରଣା ମୁର୍ମୁ,ସମିତି ସଭ୍ୟ ତନୟ ଦାସ,ବିଜେଡି ନେତା କ୍ଷିତୀଶ ମହାନ୍ତ,ସଞ୍ଜୀବ କୁମାର ଦେ, ରାମାୟ ହେମ୍ବ୍ରମ, ପିତାମ୍ବର ଦାସ, ଅମ୍ବୁଜ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ l