ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ବୋକୋ ହରାମର କମାଣ୍ଡର ଅବୁବକର ସେକାଇ ନିହତ ହୋଇଛି । ପଶ୍ଚିମ ଆଫ୍ରିକାରେ ଆତଙ୍କ ରଚିଥିବା ବୋକୋ ହାରାମର ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଆତଙ୍କବାଦୀ ଅବୁବକର, ଲେକ ଚାଇ ଅଞ୍ଚଳରେ, ବିରୋଧୀ ଦି ଇସଲାମିକ ଷ୍ଟେଟ ବେଷ୍ଟ ଆଫ୍ରିକାନ ପ୍ରୋବିନ୍ସ ସହ ଗୁଳି ବିନିମୟ ବେଳେ ନିହତ ହୋଇଥିବା ସୂଚନା ମିଳିଛି । ଏ ନେଇ ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛି ଇସଲାମିକ ଷ୍ଟେଟ୍ ।
ସୂଚନା ଅନୁସାରେ, ବିରୋଧୀଙ୍କ ସହ ଗୁଳିବିନିମୟ ବେଳା ଅବୁବକର ଫସି ଯାଇଥିଲା । ଚାରି ପଟୁ ବିରୋଧୀମାନେ ତାକୁ ଘେରିଯାଇ ଗୁଳିମାଡ କରିଥିଲେ । କିନ୍ତୁ ସେ ବିରୋଧୀଙ୍କ ଗୁଳିରେ ନୁହେଁ ବରଂ ନିଜେ ନିଜକୁ ବିସ୍ଫୋରଣ କରି ଉଡାଇଦେଇଥିଲା । ଇସଲାମିକ ଷ୍ଟେଟ ନେତା ଅବୁ ମୁସାବ ଅଲ ବରନାବୀ ନିଜର ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ବୋକୋ ହରାମର କମାଣ୍ଡର ଅବୁବକର ନିହତ ହୋଇଥିବା ନେଇ ସୂଚନା ଦେଇଛି ।
ଏହାକୁ ନେଇ ନାଇଜେରିଆ ସେନା କହିଛି ଯେ, ଅବୁବକର ମୃତ କି ଜୀବିତ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ପ୍ରମାଣ ମିଳିନାହିଁ । ଏ ନେଇ ଯାଞ୍ଚ ଜାରି ରହିଛି । ବୋକୋ ହରାମର ଗବେଷକ ବୁଲାମା ବୁକର୍ତ୍ତୀ କହିଛନ୍ତି ଯେ, ଏକଦା ବୋକୋ ହରାମର ଦୁର୍ଗ ଭାବରେ ବିବେଚନା କରାଯାଉଥିବା ଲେକ୍ ଚାଡ ଅଞ୍ଚଳରେ ଇସଲାମିକ୍ ଷ୍ଟେଟ୍ ବର୍ତ୍ତମାନ ନିଜର ଆଭିମୁଖ୍ୟକୁ କଡାକଡି କରୁଛି। ଇସଲାମିକ୍ ଷ୍ଟେଟ୍ ଦୀର୍ଘ ଦିନରୁ ଆବୁବାକରଙ୍କୁ ହଟାଇବାକୁ ଚାହୁଁଥିଲା।
ସୂଚନାଯୋଗ୍ୟ, ବୋକୋ ହରାମ ପ୍ରଥମେ ୨୦୧୪ରେ ଲାଇମଲାଇଟ୍ ରେ ନିଜର ଦବଦବା ଜାହିର କରିଥିଲା । ଏହି ବର୍ଷ ସେ ପ୍ରାୟ ୨୭୦ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରିଥିଲା । ଏଥିରେ ସଂପୃକ୍ତ ଥିଲା ନିହତ ହୋଇଥିବା କମାଣ୍ଡର ଅବୁବକର । ସେବେଠାରୁ ସେ ଅନେକ ଥର ପିଲାମାନଙ୍କୁ ଅପହରଣ କରିଥିବା ନଜିର ରହିଛି । ନାଇଜେରିଆରେ ବୋକୋ ହରାମର ଭୟ ଏପରି ଯେ ଆତଙ୍କବାଦୀଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କେହି ବାହାରନ୍ତି ନାହିଁ । ଯେଉଁମାନେ ଭୁଲରେ ବି ବୋକୋ ହରାମ ବିରୁଦ୍ଧରେ ଯାନ୍ତି ସେମାନଙ୍କୁ ବିଚ ରାସ୍ତାରେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥାଏ ।ନାଇଜେରିଆରେ ଶାରିୟା ନିୟମ ପାଳନ କରୁଥିବା ସରକାର ଗଠନ ପାଇଁ ଏହି ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହି ଆତଙ୍କବାଦୀ ସଂଗଠନ କେବଳ ନାଇଜେରିଆରେ ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା କରିନାହିଁ ବରଂ ସୁରକ୍ଷା ବାହିନୀ ଉପରେ ଅନେକ ଥରଆକ୍ରମଣ ମଧ୍ୟ କରିଛି | ଏହି ଅଞ୍ଚଳରେ ବୋକୋ ହରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ, ଲୋକଙ୍କ ହତ୍ୟା ଏବଂ ସାମରିକ ବେସ ଉପରେ ଆକ୍ରମଣ ଆଜି ପର୍ଯ୍ୟନ୍ତ ଜାରି ରହିଛି।