ସମ୍ବଲପୁରରେ ପୁଣି ଲଜ୍ଜା । ବୁର୍ଲା ବଡ଼ ଡାକ୍ତରଖାନାରେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି । ଝାରସୁଗୁଡାର ଜଣେ ବୃଦ୍ଧାଙ୍କୁ ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ନାତୀ ନାତୁଣି ମଧ୍ୟ ଡାକ୍ତରଖାନାକୁ ଆସିଥିଲେ । ଅନ୍ୟପଟେ ବୁର୍ଲାର ଜଣେ ମହିଳାଙ୍କୁ ସେହି ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କର ଜଣେ ସମ୍ପର୍କିୟ ୨୫ ବର୍ଷିୟ ଯୁବକ ମେଡିକାଲ ଆସିଥିଲେ । ସନ୍ଧ୍ୟାରେ ନାବାଳିକା ଜଣଙ୍କ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଯୁବକ ଜଣଙ୍କ ମହଜୁଦ ଥିଲେ । ନାବାଳିକାଙ୍କୁ ଖରାପ ଦୃଷ୍ଟିରେ ଯୁବକ ଜଣଙ୍କ ଦେଖିଥିବା ବେଳେ ଭୟରେ ନାବାଳିକା ଦୌଡି ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏପରିକି ନାବାଳିକାଙ୍କ ମାଆ ଯୁବକଙ୍କୁ ଗାଳିଗୁଲଜ କରିବାରୁ ତାଙ୍କୁ ମଧ୍ୟ ଧମକଚମକ ଦେଇଥିଲେ ଅଭିଯୁକ୍ତ ଯୁବକ । ତେବେ ବୁର୍ଲା ଡାକ୍ତର ଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।