ସୁନ୍ଦରଗଡ: ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ର ଏକ ହୋଟେଲ ପରିସରରେ ଏମ୍ ସି ଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ୧୪ ଖଣ୍ଡ ଗ୍ରାମର ବିସ୍ଥାପିତ ପ୍ରତିନିଧିଙ୍କୁ ନେଇ ସାମ୍ୱାଦିକ ସମ୍ମିଳନୀରେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏମ୍ ସି ଏଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କେହି ହେଲେ ଗତ ୩୫ ବର୍ଷ ଧରି ତାଙ୍କ ସମସ୍ୟାର ସମାଧାନ କରୁନଥିବା କଥା ସେମାନେ ଅତି ଦୁଃଖର ସହିତ କହିଛନ୍ତି।
ବିସ୍ଥାପିତଙ୍କ ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ସେମାନେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗତ ମାର୍ଚ୍ଚ ମାସ ୧୪ ତାରିଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ। ହେଲେ ଏ ପର୍ୟ୍ୟନ୍ତ ତା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା କଥା ସେମାନେ କ୍ଷୋଭର ସହିତ କହିଛନ୍ତି। ତେଣୁ ବିକଳ୍ପ ମାଧ୍ୟମ ଭାବେ ଗଣମାଧ୍ୟମ ସହାୟତାରେ ଏହି ବାର୍ତ୍ତା ଦେଇଛନ୍ତି।
୧୯୮୯ ମସିହାରୁ ଏପର୍ୟ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଏମ୍ ସି ଏଲ ଗୋପାଳ ପୁର, ସିଆର ମାଲ, କୁଲଡ଼ା, ବଳିଙ୍ଗା, ବାଙ୍କିବହାଲ, ଟିକିଲି ପଡ଼ା , ସର ଡେଗା, ବାଙ୍ଗୁର କେଲା, ଗର୍ଜନ ବହାଲ, କର୍ଲି କଛାର, ତୁମୁଲିଆ,ଝୁପୁରୁଙ୍ଗା, ରତନ ସରା, କିରିପ ସିରା ଗ୍ରାମବାସୀଙ୍କ ଜମି ଉପରୁ କୋଇଲା ଖନନ କରୁଛି । ହେଲେ ଏଯାଏଁ ଉପରୋକ୍ତ ଗ୍ରାମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପୁନଃର୍ବାସ ଓ ଥଇଥାନ କରିନାହିଁ। ତେଣୁ ଏହି ଗ୍ରାମର ବିସ୍ଥାପିତମାନେ ନିଜେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କ ସହ ଜଣେ ରାଜନେତା ତଥା ଆସନ୍ତା ନିର୍ବାଚନରେ ସୁନ୍ଦରଗଡ଼ ବିଧାନ ସଭାକ୍ଷେତ୍ର ପାଇଁ ସିପି ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ତାଙ୍କ ଭୋଟ ବର୍ଜନ କରିବେ ବୋଲି ସ୍ପଷ୍ଟ କହିଛନ୍ତି। ଏପରିକି ବିସ୍ଥାପିତମାନଙ୍କ ସମସ୍ୟା ସହିତ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
Plugin Install : Subscribe Push Notification need OneSignal plugin to be installed.