ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଯକୃତ ପ୍ରଦାହ ବା ହେପାଟାଇଟିସ୍ ଏକ ଭୂତାଣୁ ଜନିତ ରୋଗ ଯାହା ସମଗ୍ର ବିଶ୍ୱରେ ଦେଖାଯାଇଥାଏ । ଦୁଇଟି ଗ୍ରୀକ୍ ଶବ୍ଦ ତିଆରି ହୋଇଛି । ହେପାଟୋ-ଯକୃତ, ଇଟିସ୍-ପ୍ରଦାହ । ଯକୃତ ପ୍ରଦାହକୁ ହେପାଟାଇଟିସ୍ କୁହାଯାଏ । ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ । ବିଶ୍ୱ ବିଖ୍ୟାତ ନୋବେଲ ପୁରସ୍କାର ବିଜୟୀ ବୈଜ୍ଞାନିକ ବାରୁଚ୍ ସାମିଏଲ୍ ବ୍ଲୁମ୍ବର୍ଗଙ୍କ ଜନ୍ମଦିନକୁ ବିଶ୍ୱ ହେପାଟାଇଟିସ୍ ଦିବସ ରୂପେ ପାଳନ କରାଯାଏ । ସେ ହେପାଟାଇଟିସ୍ ବି ଭୂତାଣୁ ଆବିଷ୍କାର କରିଥିଲେ ଏବଂ ଏହାର ନିଦାନ କିପରି କରାଯିବ ଓ ଏଥିପାଇଁ ଏକ ପ୍ରତିଷେଧକ ଟିକା ମଧ୍ୟ ଉଭାବନ ରକରିଥିଲେ । ଭୂତାଣୁ କିପରି ସଂକ୍ରମିତ ହୋଇଥାଏ: ସଂକ୍ରମିତ ଖାଦ୍ୟ ଓ ପାନୀୟ ଦ୍ବାରା ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମିତ ହୋଇଥିଲାବେଳେ ବି ଅନ୍ୟରୂପେ ସଂକ୍ରମିତ ହୋଇଥାଏ। ସଂକ୍ରମିତ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ହେପାଟାଇଟିସ୍ ବି ସଂକ୍ରମଣର ସମ୍ଭାବନା ଥାଏ। ନିଶା ସେବନ କରୁଥିବା ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହୃତ ସିରିଞ୍ଜ ବ୍ୟବହାର କରିବା ଦ୍ବାରା, ସଂକ୍ରମିତ ବ୍ୟକ୍ତିଙ୍କ ବ୍ୟବହୃତ ଛୁଞ୍ଚିରେ ଟାଟୁ କରାଇବା ଦ୍ବାରା, କୌଣସି କାରଣରୁ ସଂକ୍ରମିତ ଛୁଞ୍ଚି ଫୋଡ଼ି ହୋଇଯିବା ଦ୍ବାରା ହେପାଟାଇଟିସ୍ ବି ହେବାର ଆଶଙ୍କା ଥାଏ।ଏହି ଭୂତାଣୁମାନଙ୍କ ଦ୍ବାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଭୋକ ନ ଲାଗିବା, ଜ୍ବର ହେବା, ଆଖି ଓ ପରିସ୍ରା ହଳଦିଆ ହେବା, ଅଧିକା ହାଲିଆ ବା କ୍ଲାନ୍ତି ଅନୁଭବ କରିବା, ବାନ୍ତି ହେବା, ମାଂସପେଶୀ ବା ଗଣ୍ଠି କିମ୍ବା ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ହେବା, ଓଜନ ହ୍ରାସ ହେବା, ମାନସିକ ଅବସାଦଗ୍ରସ୍ତ ହେବା ଇତ୍ୟାଦି ଦେଖାଯାଏ।ହେପାଟାଇଟିସ୍ ଏ ଏବଂ ଇ ରୁ ବିଭିନ୍ନ ଲକ୍ଷଣ, ଲିଭର ଫଙ୍କସନ୍ ଟେଷ୍ଟ, ଆଇ.ଜି.ଏମ୍ ଆଣ୍ଟିବଡ଼ି ରକ୍ତରୁ ଚିହ୍ନଟ ହେବାଦ୍ବାରା ସଂକ୍ରମଣ ଜଣାପଡ଼ିଥାଏ। ସେହିପରି ହେପାଟାଇଟିସ୍ ବି ମଧ୍ୟ ବିଭିନ୍ନ ଲକ୍ଷଣ ଓ ରକ୍ତ ପରୀକ୍ଷାରୁ ଜଣାପଡ଼ିଥାଏ। ହେପାଟାଇଟିସ୍ ଏ ଭଳି ଇ ମଧ୍ୟ ଅଧିକ ଗୁରୁତର ହୁଏନାହିଁ।ହେପାଟାଇଟିସ୍ ଏ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସଂକ୍ରମିତ ବା ଦୂଷିତ ଖାଦ୍ୟ ଓ ପାନୀୟ ବର୍ଜନ କରିବା ଉଚିତ୍। ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚ ହେବାପରେ ପରିଷ୍କାର ରୂପେ ସାବୁନ୍ ଓ ପାଣିରେ ଭଲଭାବେ ହାତ ଧୋଇବା ଆବଶ୍ୟକ। ସ୍ବଚ୍ଛ ପାନୀୟଜଳ ପିଇବା ଉଚିତ୍। ଏହି ରୋଗର ପ୍ରତିଷେଧକ ଟିକା ଉପଲବ୍ଧ ଅଛି। ତେଣୁ ଶୈଶବ ସମୟରୁ ଏହି ଟିକାକରଣ କଲେ ହେପାଟାଇଟିସ୍ ଏର ସଂକ୍ରମଣର ମାତ୍ରା କମି ଯାଇଥାଏ।