ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ କିନ୍ନର । ଇତିହାସରେ ପ୍ରଥମଥର ପାଇଁ ଅତିକମ୍ରେ ଦୁଇଜଣ କିନ୍ନର ପ୍ରତିଯୋଗୀ ଅଂଶଗ୍ରହଣ କରିବେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ । ଗତ ସପ୍ତାହରେ ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ୍ ମିସ୍ ପର୍ତୁଗାଲ୍ ମୁକୁଟ ଜିତିବା ପରେ ଏହି ଖବର ସାମନାକୁ ଆସିଛି । ସେ ହେଉଛନ୍ତି ଦ୍ୱିତୀୟ ଟ୍ରାନ୍ସଜେଣ୍ଡର ଯିଏକି ନିଜ ଦେଶର ଶ୍ରେଷ୍ଠ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି । ଏହାପୂର୍ବରୁ ଡଚ୍ ମଡେଲ୍ ରିକ୍କି କୋଲେ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଅର୍ଜନ କରିଥିଲେ। ଏହି ଟାଇଟଲ ଜିତିବାରେ କୋଲେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର। ଚଳିତ ବର୍ଷ ନଭେମ୍ବରରେ କେନ୍ଦ୍ରୀୟ ଆମେରିକାର ଏଲ୍ ସାଲଭାଡୋର ଠାରେ ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପୃଥିବୀର ୯୦ଜଣ ମହିଳା ପ୍ରତିଯୋଗୀ ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ପ୍ରତିଯୋଗୀତାରେ ୭୧ତମ ମିସ୍ ୟୁନିଭର୍ସ “ବୋନି ଗାବ୍ରିଏଲ୍’ ତାଙ୍କ ଉତରାଧିକାରୀଙ୍କୁ ମୁକୁଟ ପିନ୍ଧାଇବେ । ଯଦି ମାରିନା ମାଚେଟ କିମ୍ବା ରିକି କୋଲେ ଏହି ପ୍ରତିଯୋଗିତା ଜିତନ୍ତି, ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ପିନ୍ଧି ପ୍ରଥମ କିନ୍ନର ହେବେ ।