ନୂଆଦିଲ୍ଲୀ : ବିଶ୍ବକପ ଦଳରେ ରବିଚନ୍ଦ୍ରନ ଅଶ୍ବିନ ଶେଷରେ ସ୍ଥାନ ପାଇଛନ୍ତି। ଆହତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ବିଶ୍ବକପ ଲାଗି ପୂର୍ବରୁ ଘୋଷିତ ୧୫ ଜଣିଆ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇଥିଲେ। ଆହତ ଖେଳାଳିଙ୍କ ବଦଳ ଭାବେ ସେପ୍ଟେମ୍ବର ୨୮ ସୁଦ୍ଧା ଚୂଡାନ୍ତ ଖେଳାଳି ତାଲିକା ଦେବାକୁ ଆଇସିସି ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା। ଅକ୍ଷର ପଟେଲ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ଅକ୍ଷର ଗତ ଏସିଆ କପ୍ ସମୟରେ ଆହତ ହୋଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଦଳକୁ ଫେରିଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇନଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ବାଦ୍ ଦିଆଯାଇଛି। ବିସିସିଆଇ ପକ୍ଷରୁ ପ୍ରଥମରୁ ଘୋଷିତ ୧୫ ଜଣିଆ ଦଳରେ ୩୭ ବର୍ଷୀୟ ଅଶ୍ବିନଙ୍କୁ ସ୍ଥାନ ମିଳିନଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ବିସିସିଆଇ ସିନିୟର ମନୋନୟନ କମିଟିକୁ ସମାଲୋଚନା କରାଯାଇଥିଲା।