ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୯.୦୨): ପବିତ୍ର ଜାଗର ଯାତ୍ରା ସାରା ରାଜ୍ୟରେ ବେଶ୍ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ । ନୀତି କାନ୍ତିରେ ବିଳମ୍ବ ଯୋଗୁଁ ଧାର୍ଯ୍ୟ ସମୟ ଠାରୁ ପାଖାପାଖି ୩ଘଂଟା ବିଳମ୍ବରେ ମହାଦୀପ ଉଠିଥିଲା । ଶନିବାର ଭୋରୁ ମହାପ୍ରଭୁଙ୍କ ସାହାଣମେଳା ଆରମ୍ଭ ହୋଇଥିଲା । ଅବକାଶ ପାଇଁ ୍ କିଛି ସମୟର ବିରତି ପରେ ପୁଣି ସାହାଣମେଳା ଦର୍ଶନ କରିଥିଲେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ । ମନ୍ଦିର ବେଢ଼ାରେ ସନ୍ଧ୍ୟା ପୂର୍ବରୁ ଭକ୍ତମାନେ ଦୀପ ଜାଳି ଅପେକ୍ଷା କରିଥିବାବେଳେ ମନ୍ଦିର ବାହାରେ ଦେବୀ ପାଦଭରା ପୁଷ୍କରିଣୀ ଚାରିପଟେ ଶ୍ରଦ୍ଧାଳୁମାନେ ନିର୍ଜଳା ଉପବାସରେ ରହି ଦୀପ ଜାଳି ମହାଦୀପକୁ ଅପେକ୍ଷା କରିଥିଲେ । ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ରାତି ୧୦ଟା ୧୦ ମିନିଟ୍ ରେ ମହାଦୀପ ଉଠିବା କଥା । ହେଲେ ସେବାୟତ ମାନଙ୍କ ଅସହଯୋଗ ମହାଦୀପ ଉଠିଥିଲା ୩ଘଂଟା ବିଳମ୍ବରେ । ନୀତି ବିଳମ୍ବ ଘଟଣା ଜଣାପଡ଼ିବା ପରେ ଭଜନ ମଣ୍ଡପରେ ଉପସ୍ଥିତ ବିଧାୟକ ସୁରେଶ ରାଉତରାୟ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ସେବାୟତଙ୍କ ନିକଟକୁ ଯାଇ ନୀତି କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ପରେ ଭୋଗ ନୀତି ପାଇଁ ପଦକ୍ଷେପ ନିଆଯାଇଥିଲା । ସେପଟେ ନିକଟସ୍ଥ ଭଜନ ମଣ୍ଡପରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶିଲାଲ , ସାଂସଦ ଅମର ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ ବଲିଉଡ୍ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ, ବାବୁଲ ସୁପ୍ରିଓ ଓ ଡେଲା ସୁଲାଖେ ଶିବଙ୍କ ଭଜନ ଗାଇ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନ ମୋହିଥିଲେ । ଓଡ଼ିଶାର ଲୋକପ୍ରିୟ ସଂଗୀତଜ୍ଞ ମନ୍ମଥ ମିଶ୍ର ଜଗନ୍ନାଥଙ୍କ ଭଜନ ଗାଇଥିଲେ । ଏହାଛଡ଼ା ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ରାତିତମାମ ଭଜନ ଗାଇ ପରିବେଶକୁ ଆଧ୍ୟାତ୍ମିକତାରେ ଭରିଦେଇଥିଲେ ।