୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ମହାଲଢେଇ । ନିର୍ବାଚନୀ ମୈଦାନରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ଜାତୀୟ ରାଜନୀତି । ଗୋଟିଏ ପଟେ ବେଙ୍ଗାଲୁରୁରେ ବିରୋଧୀ ମେଳି କରିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ବସିଛି ଏନଡିଏ ବୈଠକ । ତେବେ ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ୨୫ ବର୍ଷ ଧରି ଏନଡିଏ ଦେଶହିତ ଲାଗି ସମର୍ପିତ । ଆଗାମୀ ସମୟ ଲାଗି ଏନଡିଏର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତକୁ ବିକାଶିତ ରଷ୍ଟ୍ରରେ ପରିଣତ କରିବା ମୁଖ୍ୟ ଲକ୍ଷ୍ୟ । ଦେଶର ସବୁ ବର୍ଗଙ୍କର ବିଶ୍ୱାସ ଏନଡିଏ ଉପରେ ରହିଛି । ଏହା ସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ସବୁବେଳେ ଏପରି କି ବିରୋଧୀ ଭାବେ କାର୍ଯ୍ୟ କରୁଥିବା ବେଳେ ସକାରାତ୍ମକ ରାଜନୀତି କରିଛୁ । ଆମେ କେବେ ହେଲେ ଜନାଦେଶକୁ ଅସମ୍ମାନ କରିନୁ ।
ଆମେ ସରକାରଙ୍କୁ ବିରୋଧ କରିବା ପାଇଁ କେବେ ହେଲେ ବିଦେଶରୁ ସହାୟତା ଲୋଡ଼ିନୁ। ଆମେ ବିରୋଧୀ ଭାବେ ଥିବା ବେଳେ କେବେ ହେଲେ ବିକାଶମୂଳକ କାର୍ୟ୍ୟ କିମ୍ବା ଦେଶର ପ୍ରଗତିରେ କଣ୍ଟା ହୋଇ ଛିଡ଼ା ହୋଇ ନଥିଲୁ।”ବେଙ୍ଗାଲୁରୁରେ ୨୬ଟି ଦଳ କରିଥିବା ବୈଠକକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଦୁର୍ନୀତି କରିବା ଲକ୍ଷ୍ୟ ନେଇ କୌଣସି ମେଣ୍ଟ ହୋଇଥାଏ ସେତେବେଳେ ଦେଶର ବହୁତ ବଡ଼ କ୍ଷତି ହୁଏ। ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର ବୋଲି ମୋଦି କହିଛନ୍ତି।