ପଞ୍ଜାବର ପଠାନକୋଟ ନିକଟରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡି ଟ୍ରେନ୍ ହଠାତ୍ ଶହେ କିଲୋମିଟର ଦ୍ରୁତ ଗତିରେ ଦୌଡ଼ିବାରେ ଲାଗିଥିଲା । ତେବେ ଏହି ମାଲଗାଡ଼ିରେ ଟ୍ରେନ୍ ଡ୍ରାଇଭର ନଥିଲେ । ବିନା ଡ୍ରାଇଭରରେ ମାଲଗାଡି ରେଳ ଧାରଣାରେ ଚାଲୁଥିଲା । ଏନେଇ ସ୍ଥାନୀୟ ରେଳବାଇ କର୍ତ୍ତୃପକ୍ଷ ଜାଣିବା ପରେ ଲୋକଙ୍କୁ ଆଲର୍ଟ କରିବା ପାଇଁ ଷ୍ଟେସନ ଗୁଡିକରେ ଘୋଷଣା କରାଯିବା ସହ ଟ୍ରାକ ଗୁଡିକୁ ଖାଲି କରିବାକୁ ଆବେଦନ କରାଯାଇଥିଲା । ତେବେ ଜଳନ୍ଧର ନିକଟରେ ଥିବା ଉଚିବାସୀ ଗାଁ ନିକଟରେ ରେଳ ଧାରଣାଟି ଉଚ୍ଚରେ ଥିବାରୁ ମାଲଗାଡିଟି ଆପେ ଆପେ ଅଟକି ଯାଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଫିରୋଜପୁର ଡିଭିଜିନର ଏଡିଆରଏମ୍ ଜେଏସ ଗୁଲେରିଆ କହିଛନ୍ତି, ଜଳନ୍ଦର ନିକଟରେ ଉଚିବାସି ଗାଁ ନିକଟରେ ଟ୍ରେନଟି ଅଟକି ଯାଇଛି । ମାଲଗାଡିଟି ବିନା ଡ୍ରାଇଭରରେ ୭୦ କିଲୋମିଟର କଠୁଆରୁ ଉଚିବାସୀ ଗାଁ ନିକଟରେ ପହଞ୍ଚିଯାଇଥିଲା।