ବିଧାନ ସଭାକୁ ପ୍ରବେଶ କରୁ କରୁ ରାଗିଲେ ନବୀନ । ଚମ୍ପୁଆ ବିଧାୟକଙ୍କୁ କଲେ ତାଗିଦ୍ । ବିରୋଧୀ ଦଳ ନେତା ଗୃହକୁ ପ୍ରବେଶ ବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟ ବିଜେଡି ବିଧାୟକ ଓ ଗଣମାଧ୍ୟମ ସାମ୍ନାରେ ନବୀନ ଖୋଲାଖୋଲି ମୁହଁ ଖୋଲି ତାଗିଦ୍ କରିଛନ୍ତି ଚମ୍ପୁଆ ବିଧାୟକଙ୍କୁ ।
ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ପହଞ୍ଚୁଥିଲେ ନବୀନ । ତାଙ୍କୁ ସ୍ଵାଗତ ପାଇଁ ବିଜେଡି ବିଧାୟକ ଛିଡ଼ା ହୋଇଥିଲେ । ଆଉ କାରରୁ ଓହ୍ଲାଇବାର ଠିକ୍ ପରେ ହିଁ ନବୀନ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ପ୍ରଶ୍ନ କରିଥିଲେ । ରାଗି କରି ନବୀନ ପଚାରିଥିଲେ କାହିଁକି ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ ଆସି ନଥିଲ ? ତେବେ ଅସୁସ୍ଥତା ହେତୁ ଆସି ନଥିବା କହିଥିଲେ ସନାତନ ମହାକୁଡ଼ ।
ତେବେ ସନାଙ୍କ ଅସୁସ୍ଥତା ଉତ୍ତରରେ ନବୀନ ସନ୍ତୁଷ୍ଟ ହୋଇ ନଥିଲେ । ନବୀନ କହିଥିଲେ, ତୁମେ ବିଜେଡି ଆଡ଼କୁ ଯାଉଛ କି ? । ଏଥିସହ ସନାତନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି ।
ତେବେ କେନ୍ଦୁଝର ରାଜନୀତିରେ ସନାତନ ମହାକୁଡ ହେଉଛନ୍ତି ଜଣେ ବଡ଼ ଚେହେରା । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ଏଥର ସେ ବିଧାନସଭାକୁ ଆସିଛନ୍ତି । ହେଲେ ଏଥର କିନ୍ତୁ ୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ହୋଇଛି ବିଜେଡି । ଆଉ ଏଭଳି ସମୟରେ ସନାତନ ମହାକୁଡ ବିଧାୟକ ଦଳ ବୈଠକରେ ସାମିଲ ନହେବା, ନବୀନଙ୍କ ଖପ୍ପା ହେବାର କାରଣ ବୋଲି କୁହାଯାଉଛି ।