ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା। ଦିନ 11 ଟା 30 ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାରେ ଧାନ କିଣା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି । ଗୃହ ମଧ୍ୟଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ। ସୂଚନା ଯୋଗ୍ୟ ଯେ, ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଏହା ସହିତ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଥିଲା ଫେବ୍ରୁଆରି ୨୭ରେ। ସେହି ପର୍ଯ୍ୟାୟରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲୁ ହୋଇଥିଲା। ଦିନ ଦିନ ଧରି ଗୃହ ଅଚଳ ହେଲା। ସର୍ବଦଳୀୟ ବୈଠକରେ ଧାନ କିଣାକୁ ନେଇ କିଛି ନିଷ୍ପତ୍ତି ନିଆଗଲା। ଆସନ୍ତା ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗୃହରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ। ଅଧିବେଶନ ଏପ୍ରିଲ୍ ୯ ତାରିଖ ଯାଏ ଚାଲିବ। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, ଧାନ କିଣା ପ୍ରସଙ୍ଗରେ ସରକାର ଯେପରି ଚାଷୀଙ୍କୁ ଭୁଆଁ ବୁଲାଇଛନ୍ତି ସେ ନେଇ ଦଳ ଗୃହରେ ସରକାରଙ୍କୁ ଘେରିବ। ଆସନ୍ତାକାଲି ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା କରାଯାଇ ରଣନୀତି ଚୂଡ଼ାନ୍ତ ହେବ। ଶିମିଳପାଳ ଜଙ୍ଗଲ ସମେତ ଏବେ ରାଜ୍ୟର ସବୁ ଜଙ୍ଗଲରେ ନିଆଁ ଲାଗିଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ସରକାର ବିଫଳ ହୋଇଛନ୍ତି। ଜଙ୍ଗଲ ନିଆଁକୁ ନେଇ ମଧ୍ୟ ସରକାରଙ୍କୁ ଜବାବ ମଗାଯିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରି ଦେଇଛନ୍ତି।