ଲକ୍ଷ୍ନୌ: ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଆଜି ଗୁଳିମାଡ କରିଛନ୍ତି । ବିଜେପି ସାଂସଦଙ୍କ ପୁତ୍ର ଆୟୁଷ ସକାଳବୁଲାରେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଲକ୍ଷ୍ନୌର ମାଡିୟାବ କ୍ଷେତ୍ରର ଛଠାମୀଲରେ ଏହି ଘଟଣା ଘଟିଛି । ଚିକିତ୍ସା ନିମନ୍ତେ ଉତ୍ତର ପ୍ରଦେଶ ପୁଲିସ ଗୁଳି ଚୋଟରେ ଆହତ ଆୟୁଷଙ୍କୁ ‘ଟ୍ରମା ସେଣ୍ଟର୍’ରେ ଭର୍ତ୍ତି କରିଛି। ସେ ବିପଦମୁକ୍ତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ପୁଲିସ କହିଛି, ସାଂସଦଙ୍କ ପୁଅ ଆୟୁଷଙ୍କ ଦେହରେ ଗୁଳିଚୋଟ ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯିବ। ଏବେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ଏହି ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ, କେତେକ ବ୍ୟକ୍ତିଙ୍କ ସହ ଥିବା ପୁରୁଣା ବିବାଦ କାରଣରୁ ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏ ସଂକ୍ରାନ୍ତରେ ସାଂସଦ କହନ୍ତି ଯେ, ତାଙ୍କ ପୁଅ ଓ ବୋହୂ ଅଲଗା ରହୁଥିଲେ। ତା’ର ଶାଳକ ଘଟଣା ବିଷୟରେ ତାଙ୍କୁ ଜଣାଇଛନ୍ତି। କିଏ, କାହିଁକି ତାଙ୍କ ପୁଅକୁ ଆକ୍ରମଣ କଲା, ସେ ଜାଣି ପାରୁ ନାହାନ୍ତି।