ନୂଆଦିଲ୍ଲୀ: ବିଜେପି ନିର୍ବାଚନ ଜିତିବାର କୌଣସି ମେଶିନ ନୁହେଁ, ଏହା ଲୋକଙ୍କ ହୃଦୟ ଜିତିବାର ଏକ ଅଭିଯାନ। ତେଣୁ ଦଳକୁ ସବୁ ସମ୍ପ୍ରଦାୟରୁ ସମର୍ଥନ ମିଳୁଛି। ବିଜେପିର ୪୧ ତମ ପ୍ରତିଷ୍ଠା ଦିବସରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରି ଏହା କହିଛନ୍ତି। ମଙ୍ଗଳବାର ଦଳର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି କହିଥିଲେ, ଦଳର ଗୌରବମୟ ଯାତ୍ରାର ଆଜି ୪୧ ବର୍ଷ ପୂରଣ ହେଉଛି। ସେବା ଏବଂ ସମର୍ପଣ ସହିତ କୌଣସି ଦଳ କିପରି କାମ କରିଥାଏ, ଏହି ୪୧ ବର୍ଷ ହେଉଛି ତାହାର ସାକ୍ଷୀ। ମୋଦୀ କହିଥିଲେ, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ଅଟଳ ବିହାରୀ ବାଜପେୟୀ ବିଜେପିକୁ ନୂଆ ରାସ୍ତା ଦେଖାଇଛନ୍ତି। ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଜୋଶୀଙ୍କ ଭଳି ନେତାମାନେ ଦଳକୁ ଆଗକୁ ନେଇଛନ୍ତି। ଆମ ପାଇଁ ବ୍ୟକ୍ତିଠାରୁ ବଡ଼ ହେଉଛି ଦଳ ଏବଂ ଦଳଠାରୁ ବଡ଼ ହେଉଛି ଦେଶ। ଏକ ସମୟ ଥିଲା, ଯେତେବେଳେ ଅଟଳ ବିହାରୀ ବାଜପେୟୀ ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିବାକୁ ଅନୁମତି ଦେଇଥିଲେ, କିନ୍ତୁ ନିୟମରେ ସାଲିସ କରି ନ ଥିଲେ। ସେ କହିଥିଲେ ଦେଶରେ ରାଜନୈତିକ ସ୍ବାର୍ଥ ପାଇଁ ଦଳ ଭାଙ୍ଗିଯାଇଛି, କିନ୍ତୁ ବିଜେପିରେ କେବେ ଏପରି ହୋଇନାହିଁ। ମୋଦୀ ଆହୁରି କହିଥିଲେ, ଜରୁରୀ ପରିସ୍ଥିତି ସମୟରେ ବିଜେପିର ଅନେକ ନେତାଙ୍କୁ ଜେଲରେ ବନ୍ଦୀ କରାଯାଇଥିଲା। କରୋନା ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସେବା କରିଥିଲେ। କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେଉଛନ୍ତି। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ସେଠାରୁ ଆତଙ୍କବାଦ ଶେଷ କରି ବିକାଶ କରାଯାଉଛି। ବିରୋଧୀମାନଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ, କେରଳ ଏବଂ ପଶ୍ଚିମଙ୍ଗରେ ଆମ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରାଯାଉଛି। ବଂଶବାଦ ଏବଂ ପରିବାରବାଦର କ’ଣ ପରିମାଣ ହୋଇଛି, ତାହାକୁ ନୂଆ ଭାରତ ଦେଖୁଛି। ଆଞ୍ଚଳିକ ଦଳଗୁଡ଼ିକ ବି ଏକ ପରିବାର ଏବଂ କିଛି ଲୋକଙ୍କ ଦଳ ହୋଇ ରହିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।