ବ୍ୟୁରୋ : ଦିଲ୍ଲୀରୁ ଆସିଲା ବଡ଼ ଖବର। ବିଜେପିରେ ଯୋଗ ଦେଲେ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଭର୍ତ୍ତୃହରି ମହତାବ। ସେହିପରି ଦମୟନ୍ତୀ ବେସ୍ରା ବି ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ଦମୟନ୍ତୀ। ଆଜି ଅପରାହ୍ନ ୩ଟାରେ ବିଜେପିର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସିଦ୍ଧାନ୍ତ ଓ ଦମୟନ୍ତୀ ଦଳରେ ଯୋଗ ଦେଇଥିଲେ। ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ ତାରିଖରେ ଭୋଟ ଗଣତି ହେବ। ତେବେ ଇତିମଧ୍ୟରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଆହୁରି ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର।
ମାର୍ଚ୍ଚ ୨୨ରେ ବିଜେଡି ଛାଡ଼ିଥିଲେ କଟକ ସାଂସଦ ଭର୍ତ୍ତୃହରି। କଟକରୁ ୬ଥର ଲୋକସଭା ନିର୍ବାଚନ ଜିତିଛନ୍ତି ଭର୍ତ୍ତୃହରି। ସେହିପରି ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏଥର ନିର୍ବାଚନ ଲଢ଼ିବା ବିଷୟରେ ବଡ଼ ସୂଚନା ଦେଇଥିଲେ। ନିର୍ବାଚନ ୨୦୨୪ ଲଢ଼ିବେ କି ନାହିଁ ଏନେଇ ସେ ସ୍ପଷ୍ଟ କରିଥିଲେ। ଗତ କିଛି ଦିନ ପୂର୍ବରୁ ଅଭିନେତା ଅରିନ୍ଦମ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। କିଛି ମାସ ତଳେ ସେ ଗୋପାଳପୁରରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢ଼ିବି। ୨୦୧୪ରେ ବ୍ରହ୍ମପୁର ଏମପି ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ। କୁହାଯାଉଛି ଯେ, ଲୋକସଭା ହେଉ କିମ୍ବା ବିଧାନସଭାର କୌଣସି ଆସନରୁ ବିଜେଡି ସିଦ୍ଧାନ୍ତଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେଡ଼ିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ଆଜି ସାଢେ ୨ଟା ସମୟରେ ବିଜେପି ମୁଖ୍ୟାଳୟ ମିଶ୍ରଣ ପର୍ବରେ ଏମାନେ ସମସ୍ତେ ବିଜେପିରେ ମିଶିଛନ୍ତି।