ବାଲିକୁଦା ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଦୁର୍ନୀତି ଗ୍ରସ୍ତ ପାଲଟିଥିବା କାରଣରୁ ଏହାର ଲାଭ ଉଠଉଛନ୍ତି ଠିକାଦାର ସଂସ୍ଥା। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଶୋଭା ୧୫ ନଂ ସି କେନାଲ ବନ୍ଧ ନିର୍ମାଣ କାର୍ଯ୍ୟରେ। ଗତ ଏକ ବର୍ଷରୁ ଉର୍ଦ୍ଧ ଧରି ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରଥମେ ମେଣ୍ଟାଲ ମୋହରମ କାର୍ଯ୍ୟ ଚାଲିଥିବା ବେଳେ ଗତ ୨ ଦିନ ଧରି ପିଚୁ କାର୍ଯ୍ୟ ଜାରି ରହିଛି। ହେଲେ କାର୍ଯ୍ୟ ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ଏହାର ଫାଇଦା ନେଇ ଠିକାଦାର ସଂସ୍ଥା ପକ୍ଷରୁ ପିଚୁ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ପିଚୁ କାର୍ଯ୍ୟର ତାରପେଟ ଓ ସିଲକୋର୍ଟ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଯେତିକି ସିଏମ ହେବା କଥା ତାହା ହେଉନାହିଁ। ଠିକାଦାର ସଂସ୍ଥା ପକ୍ଷରୁ ନାମକୁ ମାତ୍ର ପିଚୁ ପ୍ରଲେପ ଦିଆ ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଟ୍ରାକ୍ଟର କିମ୍ବା ଭାରୀଯାନ ଚଳାଚଳ କଲେ ଏହା ଗୋଟିଏ ମାସ ରହିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ଅଞ୍ଚଳବାସୀ। ଏପରିକି ଏହି ପିଚୁ କାର୍ଯ୍ୟ ସରିବା ପରେ ଏହାକୁ ଘୋଡାଇବା ପାଇଁ ଉଦ୍ୟମ କରି ପିଚୁ ଉପରେ ବାଲି ଘୋଡାଇ ଦେଉଥିବା କାରଣରୁ କାର୍ଯ୍ୟର ମାନ ନେଇ ସନ୍ଦେହ ପ୍ରକାଶ ପାଇଛି। ପିଚୁ ନିର୍ମାଣ ପୂର୍ବରୁ ଯେତିକି ପରିମାଣର ପିଚୁ ତୈଳ ରାସ୍ତାରେ ଦିଆ ଯାଉ ନଥିବା ବେଳେ ପିଚୁର ସ୍ତର ଦେଖିଲେ ଯେ କେହିବି କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ପଷ୍ଟ ଅନୁମାନ ଲଗାଇ ପାରିବ। ତେବେ ଏହି କାର୍ଯ୍ୟ ନିର୍ମାଣ ହେବାର ଏକ ବର୍ଷ ପୂର୍ତ୍ତି ହୋଇଥିଲେ ସୁଦ୍ଧା ଠିକାଦାର ସଂସ୍ଥା ପକ୍ଷରୁ ସାଧାରଣ ଜନତାଙ୍କ ଅବଗତ ପାଇଁ ସୂଚନା ଫଳକ ଲଗାଯାଇ ନାହିଁ। କିମ୍ବା ଏହା ରାଜ୍ୟ ସରକାର କିମ୍ବା କେନ୍ଦ୍ରୀୟ ଯୋଜନାରେ କେତେ ଅନୁଦାନରେ ନିର୍ମାଣ ହେଉଛି ତାହାକୁ ନେଇ ସନ୍ଦେହ ଘେରରେ ଅଞ୍ଚଳବାସୀ। ନିୟମ ଅନୁଯାୟୀ ଯେକୌଣସି କାର୍ଯ୍ୟ ନିର୍ମାଣ ହେବା ପ୍ରାରମ୍ଭରୁ ବିଭାଗ ପକ୍ଷରୁ ଠିକାଦାର ସଂସ୍ଥା ଜରିଆରେ ସୂଚନା ଫଳକ ଲଗାଇବା ବାଧ୍ୟତା ମୂଳକ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଧାର୍ଯ୍ୟ ସହ କିଭଳି କାର୍ଯ୍ୟ କରାଯିବ ତାର ସମ୍ପୂର୍ଣ୍ଣ ବିବରଣୀ ସହ ଏହା କେତେ ଅନୁଦାନରେ ନିର୍ମାଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଅବଗତ କରାଇବା ପାଇଁ ନିୟମ ରହିଛି ଯାହାକୁ ଖୁଲମଖୁଲା ଉଲଂଘନ କରୁଛି ବିଭାଗ। ତେବେ ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ କର୍ପସ ପାଣ୍ଠିରୁ ନିର୍ମାଣ ହେଉଥିବା ଜଣାପଡିଛି। ତେବେ ଅଞ୍ଚଳବାସୀଙ୍କ ଗମନା ଗମନ କୁ କୁସୁମିତ କରିବା ପାଇଁ ଓ କୃଷି କ୍ଷେତ୍ରକୁ ପରିବହନ ସୁବିଧା କରିବା ନେଇ ମାଛଗାଁ ଠାରୁ ଭାୟା ଶୋଭା ଦେଇ ଓଷକଣା ଆଣିଅଙ୍କ ପର୍ଯ୍ୟନ୍ତ କେନାଲ ରାସ୍ତା ପାଇଁ ଅଞ୍ଚଳର ପ୍ରାୟ ୮ ପଞ୍ଚାୟତର ଜନସାଧାରଣ ଦୀର୍ଘ ବର୍ଷ ଧରି ଏହି କେନାଲ ବନ୍ଧ ରାସ୍ତା ନିର୍ମାଣ ଲାଗି ଦାବି କରି ଆସୁଥିଲେ। ହେଲେ ନିର୍ମାଣ ହେବାର ସ୍ବପ୍ନ ପୂରଣ ହେବା ପରେ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିବା ସହ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସମେତ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଦୁର୍ଗା ଚରଣ ସ୍ୱାଇଁ, କୁଳମଣି ରାଉତ, ନୀଳମଣି ରାଉତ, କାମଦେବ ରାଉତ, ସୂଚନା ଅଧିକାର କର୍ମୀ ପ୍ରଶାନ୍ତ କୁମାର ରାଉତରାୟ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିଜୟ ମହାନ୍ତି, ନିଶାକର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, କୈଳାଶ ବିଶ୍ୱାଳ, ଧର୍ମାନନ୍ଦ ଜେନା, କାଳନ୍ଦୀ ନାୟକ, ସିଦ୍ଧାର୍ଥ ଦଳାଇ ଙ୍କ ସମେତ ବହୁ ଲୋକେ। ତେବେ ଏନେଇ ବିଭାଗୀୟ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ୨ କୋର୍ଟ ପିଚୁ ଲେୟାର ଦିଆ ଯାଉଛି ତେବେ ମୁଁ କାଲି କାର୍ଯ୍ୟ ସ୍ଥଳକୁ ଯାଇ ତଦନ୍ତ କରିବି ବୋଲି କହିଥିଲେ।