ବାରବାଟୀରେ ଟିକେଟ ପାଇଁ ଠେଲାପେଲା । ଟିକେଟ କାଉଣ୍ଟର ଆଗରେ ଦଳାଚକଟା ସ୍ଥିତି ଉପୁଜୁଛି । ବାରିକେଡ ଉପରେ ଚଢ଼ିଲେ ଟିକେଟ ଆଶାୟୀ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିଜେ କଟକ ଡିସିପି ଜଗମୋହନ ମୀନା ଧାଡ଼ି ବାଟରେ ରହି ଭିଡ କରୁଥିବା ଜନସାଧାରଣଙ୍କୁ ବାହାରକୁ ନେଇ ଯାଉଛନ୍ତି । ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ । କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି । ବାରବାଟୀ ଦିନିକିଆ ପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ ବିକ୍ରି ହେବ । ଅଫ୍ଲାଇନରେ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହେବ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଟିକେଟ ପାଇଁ ସାରା ରାତି ଉଜାଗର। ରାତି ସାରା ହଜାର ହଜାର କ୍ରିକେଟ ପ୍ରେମୀଙ୍କ ଗହଳି । ଆଜି ୯ଟାରୁ କାଉଣ୍ଟରରେ ବିକ୍ରି ହେବ ଟିକେଟ । ହେଲେ ଗତକାଲି ସଂଧ୍ୟାରୁ ବାରବାଟୀ ଷ୍ଟାଡିୟମ ନିକଟରେ ପହଂଚି ଯାଇଥିଲେ ହଜାର ହଜାର କ୍ରିକେଟପ୍ରେମୀ । ନିଜ ସାଙ୍ଗସାଥୀଙ୍କ ସହ କାଉଣ୍ଟରରୁ ଟିକେଟ କିଣିବା ପାଇଁ ଲଗାଇଛନ୍ତି ଲମ୍ବା ଲାଇନ।
ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ । ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍ ଆସୋସିଏସ୍ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି । ସେହିପରି ଟିକେଟ କଳା ବଜାରୀ ଉପରେ ନଜର ରଖାଯାଇଛି। ଆଜି ଓ କାଲି ଦୁଇଦିନ କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଟିକେଟ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଅଧିକାଂଶ ମହିଳା ଟିକେଟ ପାଇଁ ଲାଇନରେ ଠିଆ ହୋଇଥିଲେ ବି ଜାଣୁନାହାନ୍ତି କାହା ସହ କାହାର ମ୍ୟାଚ ରହିଛି। ତଥାପି ଲାଇନରେ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ କେତେଜଣ ପ୍ରକୃତ କ୍ରିକେଟପ୍ରେମୀ ବା ଖେଳ ଦେଖିବାକୁ ଆଗ୍ରହୀ ତାହାକୁ ନେଇ ପ୍ରଶ୍ନ ଉଠିଛି । ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି । ଯୋଜନବଦ୍ଧ ଭାବେ ଟିକେଟ ହାତେଇବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ଉଠୁଛି । ରାଜ୍ୟର କୋଣ ଅନୁକୋଣରୁ ପିଲାଠୁ ବୟସ୍କ ଧାଇଁ ଆସିଛନ୍ତି ଟିକେଟ ପାଇଁ । ପୁରୁଷ, ମହିଳା ସମସ୍ତେ ଟିକେଟ ପାଇଁ ପାଗଳ। ମ୍ୟାଚ ପାଇଁ ଟିକେଟ ନେବେ ଆଉ ନିଜ ପସନ୍ଦର ଖେଳାଳିଙ୍କୁ ଚିଅର-ଅପ କରିବେ। ସାରା ରାତି ଲୋକମାନେ ଅପେକ୍ଷା କରିଥିବାରୁ ସେମାନଙ୍କୁ ଶୃଙ୍ଖଳିତ ଭାବେ ବ୍ୟାରିକେଡ ଭିତରକୁ ଛାଡିବା ପର୍ଯ୍ୟନ୍ତ ପୋଲିସ ସୁରକ୍ଷା ବ୍ୟବସ୍ଥା ତ କରିଥିଲା, ହେଲେ ବେଶ କସରତ କରିବାକୁ ପଡିଥିଲା ପୋଲିସକୁ। ଠେଲା ପେଲାରେ କିଏ ପଡ଼ିଲାଣି ତ ଆଉ କିଏ କାହା ଉପରେ ଚଢ଼ିଗଲା ଭଳି ସ୍ଥିତି ଉପୁଜିଥିଲା। ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଏହି ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।