ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୮.୦୩): ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଦିଗ ପ୍ରତି ଇସାରା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ହତ୍ୟାକାଣ୍ଡର କାରଣକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି । କାରଣ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ବି ହତ୍ୟାର କାରଣକୁ ନେଇ କିଛି ସ୍ପଷ୍ଟ କରିନାହିଁ । ଆଉ ଏହାକୁ ନେଇ ସାରା ରାଜ୍ୟରେ ଏକ ଆଶ୍ଚର୍ଯ୍ୟକର ପରିସ୍ଥିତି ବି ଲାଗି ରହିଛି ।
ଏହିଭଳି ଏକ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ହତ୍ୟାକାଣ୍ଡର କାରଣକୁ ନେଇ ଏକ ନୂଆ କଥା କହିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ପ୍ରଥମେ ବ୍ୟକ୍ତିଗତ ଶତ୍ରୁତା ସୃଷ୍ଟି ହୋଇଥାଇପାରେ ଏବଂ ଏହାକୁ ନେଇ ପରବର୍ତ୍ତୀ ସମୟରେ ଗୋପାଳ ଓ ତାଙ୍କ ପରିବାର ଷଡ଼ଯନ୍ତ୍ର କରିଥାଇ ପାରନ୍ତି । ଗୋପାଳଙ୍କ ଭାଇ ହତ୍ୟାକାଣ୍ଡ ଦିନ ସକାଳୁ ଝାରସୁଗୁଡ଼ା ଛାଡ଼ି ବ୍ରହ୍ମପୁର ଚାଲିଆସିବା, ଏହାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ନରସିଂହ ।
ଏହି ବରିଷ୍ଠ କଂଗ୍ରେସ ନେତା ଏକ ସାଂଘାତିକ ଦିଗକୁ ଇସାରା କରିଛନ୍ତି । ସେ କହିଛନ୍ତି ଗୋପାଳ ଦାସ ପୂର୍ବରୁ ନିଜ ଝିଆରୀଙ୍କୁ ଧରି ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯାଉଥିଲେ । ଏହି ସମୟରେ କୌଣସି ଅଘଟଣ କାହିଁକି ଘଟି ନଥିବ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଅର୍ଥାତ୍ ଏହି ସମୟରେ କୌଣସି ଅଘଟଣକୁ ନେଇ ଆଶଙ୍କା କରିଛନ୍ତି ନରସିଂହ । ଆଉ ଏହାକୁ ନେଇ ବ୍ୟକ୍ତିଗତ ଶତ୍ରୁତା ସୃଷ୍ଟି ହୋଇଥିବ ଏବଂ ପୁଣି ପରବର୍ତ୍ତୀ ସମୟରେ ଏହି ଶତ୍ରୁତା କାରଣରୁ ନବଙ୍କୁ ମାରିବା ପାଇଁ ଗୋପାଳ ଷଡ଼ଯନ୍ତ୍ର କରିଥିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ନରସିଂହ ଗଣମାଧ୍ୟମରେ ଏକଥା କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୃତ ନବ ଦାସଙ୍କ ଝିଅ ଦୀପାଳି ଦାସ । କ୍ଷୋଭଭରା କଣ୍ଠରେ ଦୀପାଳି କହିଛନ୍ତି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କ ବାପାଙ୍କ ଚରିତ୍ର ଉପରେ ଏଭଳି ପ୍ରଶ୍ନ ଉଠାଇବା ତାଙ୍କ ପରିବାରକୁ ବହୁତ ଆଘାତ ଦେଇଛି । ଗୋଟିଏ ସମୟରେ ନବ ଦାସ ଓ ନରସିଂହ ମିଶ୍ର କଂଗ୍ରେସ ଦଳରେ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲେ । ଏତେ ଘନିଷ୍ଠତା ଥାଇ ମଧ୍ୟ ମୃତ୍ୟୁର ମାତ୍ର ୩୮ ଦିନ ଭିତରେ ସେ ଏଭଳି ଚରିତ୍ର ପ୍ରତି ଅଙ୍ଗୁଳି ଉଠାଇବା ଠିକ୍ ହୋଇନାହିଁ ବୋଲି ଦୀପାଳି ଗଣମାଧ୍ୟମକୁ କହିଛନ୍ତି । ଗତ ଜାନୁଆରି ୨୯ରେ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ASI ଗୋପାଳ ଦାସ ହଠାତ୍ ତାଙ୍କ ପାଖକୁ ଚାଲିଆସି ପଏଣ୍ଟ ବ୍ଲାଙ୍କରୁ ନବଙ୍କ ଉପରେ ଗୁଳି ଚଳାଇ ଦେଇଥିଲେ ଏବଂ ସେହିଠାରେ ହିଁ ଟଳିପଡ଼ିଥିଲେ ନବ । ଏହାପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଥିଲା, କିନ୍ତୁ ଆଉ ତାଙ୍କୁ ବଞ୍ଚାଇ ପାରି ନଥିଲେ ଡାକ୍ତରୀ ଦଳ ।