ବ୍ରହ୍ମପୁର,(ଏନଏନଏସ ଓଡ଼ିଆ /୧୫.୦୨): କିଛି ସମୟ ପରେ ଶାଶୁ ଘରେ ପାଦ ଦେଇଥାନ୍ତା ବୋହୂ। ଆରମ୍ଭ କରିଥାନ୍ତା ନୂଆ ଜୀବନ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ । ବାଟବରଣ ବେଳେ କନିଆ ଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗାଁର ଜଣେ ଯୁବକଙ୍କର ଲାଞ୍ଜିପଲ୍ଲୀ ଅଞ୍ଚଳର କେଶବନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଯୁବତୀଜଣକ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ବିବାହ ନିମନ୍ତେ ଗତକାଲି ବର ଘରେ ପହଞ୍ଚିଥିଲେ। ବିବାହ ଶେଷ ପରେ ବାଟବରଣ ଚାଲିଥିଲା। ଏହାପରେ ନିଜ ଶାଶୁ ଘରେ ପାଦ ଦେଇଥାନ୍ତା ବୋହୂ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ । ଯୁବକଙ୍କ ଘର ରାସ୍ତା ପାର୍ଶ୍ୱରେ ହୋଇଥିବା ବେଳେ ସେଠାରେ ବାଟବରଣ ଚାଲିଥିଲା ଓ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଛତିଶଗଡ଼ ପଟୁ ଆସୁଥିବା ଏକ ସ୍କର୍ପିଓ ବାଟବରଣ କରୁଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।