ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରମାଦେବୀ ଛାତ୍ରୀଙ୍କ ଅସ୍ବାଭାବିକ ଭାବରେ ମୃତ୍ୟୁ ହୋଇନାହିଁ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଛି, ଏକଥା ସ୍ପଷ୍ଟ ହେବାରେ ଲାଗିଛି। କିନ୍ତୁ ପୋଲିସ ଯଦି କିଛି ଖୁଲାସା କରିନି ଝରାଫୁଲଙ୍କୁ ହତ୍ୟା କରାଯିବାର ପ୍ରମାଣ ପୋଲିସ ପାଇସାରିଥିବା ଜଣାପଡିଛି। ରାକେଶଙ୍କୁ ରିମାଣ୍ଡରେ ଆଣି ଜେରା ଏବଂ କ୍ରାଇମ୍ ସିନରିକ୍ରିଏଟ କରିବା ବେଳେ ପୋଲିସକୁ ଏ ନେଇ ଠୋସ୍ ପ୍ରମାଣ ମିଳିଥିବା ସୂଚନା ମିଳିଛି। ପୋଲିସ ଏବେ ବି ଘଟଣାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବା ସହ ତଦନ୍ତ ଚଳାଇଛି। ଖୁବଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପୋଲିସ ପରଦା ହଟାଇବ ବୋଲି ସୂଚନା ମିଳିଛି। ଜାନୁଆରି ୨୬ ତାରିଖ ରାତିରେ ଝରାଫୁଲ ଏବଂ ରାକେଶ ଭୁବନେଶ୍ବର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସର ୨୦୧ ନମ୍ବର ରୁମରେ ରାତ୍ରିଯାପନ କରିଥିଲେ। ସିନରିକ୍ରିଏଟ୍ ପାଇଁ ଯାଜପୁର ପାୋଲିସ ଭୁବନେଶ୍ବରର ସଂପୃକ୍ତ ଗେଷ୍ଟ ହାଉସକୁ ଯାଇଥିବା ବେଳେ ଏ ନେଇ ଅନେକ ତଥ୍ୟ ମିଳିଛି। ରାକେଶର ସ୍କୁଟର, ମୋବାଇଲ୍ ଜବତ କରି ସାରିଛି ପୋଲିସ। କିନ୍ତୁ ଝରାଫୁଲଙ୍କ ମୃତଦେହ ବୋହିନେବାରେ ରାକେଶକୁ ସହାୟତା କରିଥିବା ତା’ର ବନ୍ଧୁ ଶକ୍ତି ଶେଖର ଗଲେ କୁଆଡ଼େ ? ଏପର୍ଯ୍ୟନ୍ତ ପୋଲିସ ଶକ୍ତି ଶେଖରକୁ ଧରିବାରେ ବିଫଳ ହୋଇଛି।