ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ବସନ୍ତକୁ ଜାଳି ମାଡ଼ି ଆସୁଛି ଗ୍ରୀଷ୍ମ । ରାଜ୍ୟରେ ଏବେଠୁ ଉପରମୁହାଁ ପାରଦ। ପ୍ରବଳ ଖରା ସହ ବହୁଛି ଝାଞ୍ଜି ପବନ। ଧିରେ ଧିରେ ରାଜ୍ୟର ଉତ୍ତପ୍ତ ସହର ପାଲଟୁଛି ରାଜଧାନୀ ଭୁବନେଶ୍ବର । ଅସ୍ତବ୍ୟସ୍ତ ଜୀବନ ଯାତ୍ରା । ଗ୍ରୀଷ୍ମ ଆରମ୍ଭ ହୋଇନି, ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ୱର । ମଙ୍ଗଳବାର ଭୁବନେଶ୍ବର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ । ସୋମବାର ୩୫.୩ ଡିଗ୍ରୀ ରେକର୍ଡ ହୋଇଥିଲା, ଗତକାଲି ହଠାତ ବଢ଼ିଗଲା ୩ ଡିଗ୍ରୀ । ସମାନ ଦ୍ରାଘିମାରେ ଥିବା କଟକ ସହ ଭୁବନେଶ୍ୱର ସମାନ ରହିବା କଥା । ହେଲେ ସହରୀକରଣ ଭୁବନେଶ୍ବର ପାଣିପାଗକୁ ପ୍ରଭାବିତ କରୁଛି । ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ । ଏଥର ଗ୍ରୀଷ୍ମପ୍ରବାହ ରାଜଧାନୀବାସୀଙ୍କୁ କଲବଲ କରିବ ।
କାହିଁକି ବସନ୍ତରେ ଏତେ ତାତି ? ବାୟୁମଣ୍ଡଳରେ ଆର୍ଦ୍ରତା କମ୍ ଯୋଗୁଁ ଅତ୍ୟନ୍ତ ଟାଣ ଖରା ହେଉଛି । ସହରୀକରଣ, ଆର୍ଦ୍ରଭୂମିର ଅଭାବ ଭୁବନେଶ୍ବର ପାଇଁ କାଳ । ଆର୍ଦ୍ରତା କମ୍ ଓ ବର୍ଷା ଅଭାବ ଯୋଗୁଁ ତାପମାତ୍ରାରେ ଅହେତୁକ ବୃଦ୍ଧି ହେଉଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ତାପମାତ୍ରା ବଢ଼ୁଛି । ଗୁରୁଚାପ ବଳୟ ପଶ୍ଚିମ ଭାରତରେ ସକ୍ରିୟ ଯୋଗୁଁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଶୁଷ୍କ ବାୟୁ ସୂର୍ଯ୍ୟଙ୍କ ଗରମରେ ଆସି ବାୟୁମଣ୍ଡରେ ତାପମାତ୍ରା ବଢ଼ାଉଛି । ସମାନ ସୂର୍ଯ୍ୟକିରଣ ସତ୍ତ୍ବେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଠାରୁ ଅଧିକ ଉତ୍ତପ୍ତ ରହେ ।
ଫେବୃଆରୀରେ ଭୁବନେଶ୍ବର ତାପମାତ୍ରା
୨୦୧୬ ଫେବୃଆରୀ ୨୧-୪୦.୯ ଡ଼ିଗ୍ରୀ
୨୦୧୭ ଫେବୃଆରୀ ୧୨-୩୭.୦ ଡ଼ିଗ୍ରୀ
୨୦୧୮ ଫେବୃଆରୀ ୩- ୩୮.୨ ଡ଼ିଗ୍ରୀ
୨୦୧୯ ଫେବୃଆରୀ ୨୩-୩୯.୪ ଡ଼ିଗ୍ରୀ
୨୦୨୦ ଫେବୃଆରୀ ୧୯-୩୩.୮ ଡ଼ିଗ୍ରୀ
୨୦୨୧ ଫେବୃଆରୀ ୨୭- ୪୦.୬ ଡ଼ିଗ୍ରୀ
୨୦୨୨ ଫେବୃଆରୀ ୨୧-୩୮ ଡ଼ିଗ୍ରୀ