ବରଗଡ଼,(ଏନଏନଏସ ଓଡ଼ିଆ /୧୯.୦୨): ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି। ଏଥିଲାଗି ମୁଁ ଆପଣମାନଙ୍କ ନିକଟରେ ଋଣୀ। ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି। ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ। ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ମୋ ସରକାରକୁ ଗ୍ରହଣ କରିଛନ୍ତି। ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ୟ୍ୟ ପାଇଁ ୯୦ କୋଟି ଟଙ୍କା ମଂଜୁର କରାଯାଇଛି। ପଦମପୁର ବର୍ଷକ ଭିତରେ ଜିଲ୍ଲା ହେବ। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ। ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବିଧାୟକ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ପ୍ରମୁଖ ଯୋଗ ଦେଇଥିଲେ।