ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୮ .୦୨): ବିଶ୍ୱର କେଉଁଠି ଅନାହାର ମୃତୁ୍ୟ ଘଟୁଥିବା ବେଳେ କେଉଁଠି ଲୋକେ ଅପପୁଷ୍ଟିକର ଶିକାର ହେଉଛନ୍ତି । ଆକଳନ ଅନୁଯାୟୀ ,୮୧ କୋଟି ଲୋକ ସେମାନଙ୍କ ପରବର୍ତୀ ଭୋଜନ କେଉଁଠି ମିଳିବ ,ସେ ବିଷୟରେ ନିଶ୍ଚିତ ନୁହନ୍ତି । ପୃଥିବୀରେ ବର୍ଷକୁ ସମୁଦାୟ ୯୩୧ ନିୟୁତ ମେଟ୍ରିକ୍ ଟନ୍ ଓଜନର ଖାଦ୍ୟ ନଷ୍ଟ ହେଉଥିବା ଚିନ୍ତାର ବିଷୟ ହୋଇଛି । ତେବେ ୫୪ଟି ଦେଶକୁ ସାମିଲ୍ କରି ସଂଗଠିତ ଅନୁଧ୍ୟାନ – ୨୦୨୧ ର ଖାଦ୍ୟ ନଷ୍ଟ ମାନକ ସାରଣୀ ଅନୁଯାୟୀ , ନଷ୍ଟ ହେଉଥିବା ମୋଟ୍ ଖାଦ୍ୟ ପରିମାଣର ୬୧ ପ୍ରତିଶତ ହିଁ ଗୃହ ମାନଙ୍କରେ ହେଉଛି ।
ସେହିପରି ବିଭିନ୍ନ ହୋଟେଲ୍ ,ଭୋଜନାଳୟ ଓ ଅନ୍ୟାନ୍ୟ ଖାଦ୍ୟ ଯୋଗାଣ ସଂସ୍ଥା ଦ୍ୱାରା ୨୬ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଥିବା ବେଳେ ବାକି ୧୩ ପ୍ରତିଶତ ଖାଦ୍ୟ ପଦାର୍ଥ ତେଜରାତି ଦୋକାନ ମାନଙ୍କରେ ହିଁ ଦେଖାଯାଇଛି । ମୋଟାମୋଟି ଭାବେ ବିଶ୍ୱରେ ହେଉଥିବା ମୋଟ୍ ଖାଦ୍ୟ ପଦାର୍ଥର ଏକ ତୃତୀୟାଂଶ ନଷ୍ଟ ହୋଇ ଯାଉଥିବା ଜଣାଯାଇଛି । ଯଦି ଏଥିରେ ସୁଧାର ଆଣି ନଷ୍ଟ ଖାଦ୍ୟଗୁଡ଼ିକର ପୂର୍ଣ୍ଣ ବିନିଯୋଗ ହୋଇପାରନ୍ତା । ତେବେ ସେଥିରେ ଆଉ ୨୦୦ କୋଟି ଲୋକ ଉପକୃତ ହୋଇପାରନ୍ତେ । ଅପରପକ୍ଷେ, ଏହି ଖାଦ୍ୟ ନଷ୍ଟ ଯୋଗୁଁ ବାର୍ଷିକ ୩୩୦ କୋଟି ଟନ୍ ଅଙ୍ଗାରକାମ୍ଳ ବାଷ୍ପ ଅଯଥାରେ ବାୟୁମଣ୍ଡଳରେ ମିଶୁଛି ଯାହା ବିଶ୍ୱ ତାପମାତ୍ରା ବଢାଇବାରେ ଅନ୍ୟତମ କାରଣ ସାଜିଛି । ତେଣୁ ଏପରି ଖାଦ୍ୟ ନଷ୍ଟ କୁ ରୋକିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି । ନିଜର ରୁଚି ଅନୁସାରେ ଖାଦ୍ୟ ଗ୍ରହଣ କରି ଉଚ୍ଛିଷ୍ଟ ନ ଛାଡ଼ିବା ,ସାଇତା ବଳକା ଖାଦ୍ୟ କୁ ବ୍ୟବହାର କରିନେବା ଏବଂ ଆବଶ୍ୟକ ଅନୁଯାୟୀ ବଜାରରୁ ଅଳ୍ପ ଖାଦ୍ୟ ପଦାର୍ଥ କିଣିବା ପରି ଛୋଟ ଛୋଟ ପ୍ରୟାସ ମଧ୍ୟ ଏ ଦିଗରେ ଯଥେଷ୍ଟ ସହାୟକ ହେବ ।