<h3>ବରଗଡ଼ : ବରଗଡ଼ ବିଧାନସଭାରେ ଗତ ଦୁଇଟି ନିର୍ବାଚନ ୨୦୧୪ ଏବଂ ୨୦୧୯ ବିଜେଡିର ଦେବେଶ ଆଚାର୍ୟ୍ୟ ନିର୍ବାଚିତ ହୋଇଥିବା ବେଳେ ୨୦୧୪ ରେ ସେ କଂଗ୍ରେସର ସାଧୁ ନେପାକ ଏବଂ ୨୦୧୯ରେ ବିଜେପିର ଅଶ୍ୱିନୀ ଷଡଙ୍ଗୀଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ବିଜେଡିରୁ ଦେବେଶ ଆଚାର୍ୟ୍ୟ, ବିଜେପିରୁ ଅଶ୍ୱିନୀ ଷଡଙ୍ଗୀ, କଂଗ୍ରେସରୁ ନିପନ ଦାଶଙ୍କ ସମେତ ୯ ଜଣ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି । ଚଳିତ ନିର୍ବାଚନରେ ଦେବେଶ ଆଚାର୍ୟ୍ୟ ବିଗତ ଦଶ ବର୍ଷ ମଧ୍ୟରେ ହୋଇଥିବା ବିକାଶ ଧାରାକୁ ପାଥେୟ କରି ଜନସାଧାରଣଙ୍କ ପାଖକୁ ଯିବା ସହ ସାଂସଦ ପ୍ରାର୍ଥୀ ପରିଣିତା ମିଶ୍ରଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ଆର୍ଶିବାଦ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ବିଗତ ଦିନରେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ, ଇଣ୍ଡୋର ଷ୍ଟାଡିୟମଠାରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ସହ ଆଗାମୀ ଦିନରେ ହେବାକୁ ଥିବା ବିକାଶ ଧାରା ପାଇଁ ବିଜେଡିକୁ ପୁଣି ଲୋକେ ଗ୍ରହଣ କରିବେ ବୋଲି ଦେବେଶ ଆଚାର୍ୟ୍ୟ କହିଛନ୍ତି । ସେହିପରି ବିଜେପିର ଅଶ୍ୱିନୀ ଷଡଙ୍ଗୀ ନବୀନ ସରକାରଙ୍କ ବିଫଳତା ଏବଂ ମୋଦି ସରକାରଙ୍କ ସଫଳତାକୁ ନେଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ନିର୍ବାଚନ ପ୍ରାସଙ୍ଗଭିତ୍ତିକ ନିର୍ବାଚନ ବୋଲି କହିଛନ୍ତି । ସେହିପରି କଂଗ୍ରେସରୁ ନିପନ ଦାଶ ଏବଂ ଆମ ଆଦମୀ ପାର୍ଟୀରୁ ଡାକ୍ତର ଆଶୀଷ ଶତପଥୀ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇଥିବାବେଳେ ବିଜେଡି ଓ ବିଜେପି ଗୋଟିଏ ଡଙ୍ଗାରେ ବସି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ନିପନ ଦାଶ କହିବା ସହ ବରଗଡ଼ର ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ ରହିବ ବୋଲି କହିଛନ୍ତି ।</h3>