ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ବଢୁଛି ହୀରାକୁଦ ଜଳସ୍ତର, ଏପଟେ ଗୋଟେ ଲଘୁଚାପ ନଯାଉଣୁ ଆଉ ଗୋଟେ ଲଘୁଚାପ ପ୍ରଭାବରେ ଭିଜୁଛି ଓଡିଶା । ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୪ଦିନ ମଧ୍ୟ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ବର୍ଷା ଅତିପ୍ରବଳ ନ ହୋଇ ମଧ୍ୟମ ଧରଣର ବର୍ଷିବ । ୨୪ ତାରିଖ ଆଡକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ପାଇଁ ରାଜ୍ୟର ୪ ଡିଲ୍ଲାକୁ ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଏବଂ ନବରଙ୍ଗପୁରକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ୟପଟେ ଏହି ବର୍ଷା ଦକ୍ଷିଣ ଓଡିଶାକୁ ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏସବୁ ଅଞ୍ଚଳରେ ୨୧ରୁ ୩୧ ତାରିଖ ମଧ୍ୟରେ ୧୮୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ଏଣୁ ମହାନଦୀ ଗର୍ଭ ଫୁଲିବ ଓ କିଛି ଶାଖା ନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୩ ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଡ୍ୟାମ୍କୁ ସେକେଣ୍ଡକୁ ୧ ଲକ୍ଷ ୩୬ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ କ୍ରମାଗତ ଭାବରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି ।ହୀରାକୁଦ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।