() କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଲେ ମୋଦୀ ସରକାର । ୪ ପ୍ରତିଶତ ବୃଦ୍ଧି ହୋଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା । ପେନସନଧାରୀଙ୍କ ମହଙ୍ଗା ସହାୟତା ବା ଡିଆର ରେ ୪ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ବର୍ତମାନ ଏହା ୪୨ ପ୍ରତିଶତ ଥିବା ବେଳେ ଏହାକୁ ୪୬ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୩ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ଏବଂ ଡିଆର ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତା ୩୮ ପ୍ରତିଶତରୁ ବୃଦ୍ଧି କରାଯାଇ ୪୨ ପ୍ରତିଶତ ହୋଇଥିଲା । ବୁଧବାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିଲେ ସରକାର । ଉଭୟ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୧୨,୮୫୭ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ବାରା ୪୮.୬୭ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ସରକାର ବର୍ଷକୁ ୨ ଥର ମହଙ୍ଗା ଭତ୍ତା ପରିବର୍ତ୍ତନ କରିଥାନ୍ତି । ଯାହାର ଲାଭ ଜାନୁଆରୀ ଏବଂ ଜୁଲାଇରୁ କର୍ମଚାରୀଙ୍କୁ ମିଳିଥାଏ । ଦେଶରେ ପାଖାପାଖି ୫୨ ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ ରହିଛନ୍ତି । ୬୦ ଲକ୍ଷ ପେନସନଭୋଗୀ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ ରେଳ କର୍ମଚାରୀ ଯଥା ଟ୍ରାକ ରକ୍ଷଣାବେକ୍ଷଣକାରୀ, ଷ୍ଚେସନ ମ୍ୟାନେଜର, ଲୋକୋ ପାଇଲଟ, ଟେକ୍ନିସିଆନଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ଲାଗି ୭୮ ଦିନର ଦରମା ସହ ବୋନସକୁ ଅନୁମୋଦନ ଦିଆଯାଇଛି । କର୍ମଚାରୀଙ୍କ ପିଛା ବୋନସ ୧୭, ୯୫୦ ଟଙ୍କା ରହିବ । ମାସିକ ସର୍ବନିମ୍ନ ୭ହାଜର ଟଙ୍କା ଆଧାରରେ ବୋନସ ପ୍ରଦାନ କରାଯାଉଛି ।