ଭୁବନେଶ୍ୱର : ଜାଗା ମିଶନରେ ମିଳିଥିବା ଜମି ଅଧିକାର ପ୍ରମାଣପତ୍ର କୁ ନେଇ ରାଜଧାନୀର ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଅନେକ ଏବେ ମୁଣ୍ଡରେ ହାତ ଦେଇ ବସିଗଲେଣି । କାରଣ ଗୋଟିଏ ଜମି ଉପରେ ରହୁଥିବା ପରିବାରକୁ ଭିନ୍ନ ଭିନ୍ନ ପରିମାଣର ଅର୍ଥ ପଇଠ ପାଇଁ କୁହାଯାଉଛି । ଏପରିକି ମୂଳ ଘରମାଲିକ ଏହି ଜମି ପାଇଁ ଟଙ୍କା ଗଣୁଥିବାବେଳେ ଭଡାଟିଆରୁ ରାତାରାତି ମାଲିକ ପାଲଟିଥିବା ଲୋକେ କିନ୍ତୁ ମାଗଣାରେ ଜମି ପାଇଛନ୍ତି ।
ଏଭଳି ପରିସ୍ଥିତି ରାଜଧାନୀର କେତେକ ବସ୍ତିରେ ଦେଖା ଦେଇଛି । ଜାଗା ମିଶନରେ ପ୍ରତି ପରିବାରକୁ ୩୨୪ ବର୍ଗଫୁଟର ଜମି ମାଗଣାରେ ଦିଆଯିବାକୁ ଘୋଷଣା ପରେ ଅନେକ ଘରମାଲିକ ଭଡାଟିଆଙ୍କୁ ମଧ୍ୟ ମାଲିକ ଭାବେ ଦେଖାଇଥିଲେ । ତେବେ ସର୍ଭେ ପରେ ଯେତେବେଳେ ଜମିର କାଗଜ ବଣ୍ଟାଗଲା ସେଥିରେ ଦେଖାଗଲା ଯେ ମୂଳ ଘର ମାଲିକଙ୍କୁ ତାଙ୍କର ଜମି ପାଇଁ ୨୦ହଜାର ଦେବାକୁ ଥିବାବେଳେ ଭଡାଟିଆରୁ ମାଲିକ ସାଜିଥିବା ଅନ୍ୟଜଣଙ୍କୁ ଲକ୍ଷେ ଟଙ୍କା ପ୍ରଦାନ ପାଇଁ କୁହାଯାଇଛି । ହେଲେ ସେହି ଘରେ ରହୁଥିବା ଆଉଜଣେ ମାଗଣାରେ ଜମି ପାଇଛନ୍ତି । ସର୍ଭେ ପରେ ଏଭଳି ସ୍ଥିତି ଦେଖି ଅନେକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଅନ୍ୟ ପକ୍ଷରେ ଆବଣ୍ଟନ ହୋଇଥିବା ଜମିରେ ଘର ଥିବାରୁ ତାହାକୁ କିଏ କିଭଳି ବାଣ୍ଟିକି ନେବେ ସେଥି ନେଇ ମଧ୍ୟ ଚିନ୍ତାରେ ପଡିଛନ୍ତି । ଗୋଟିଏ ଜମି ପାଇଁ ଅର୍ଥ ଓ ଅନ୍ୟପଟେ ମୂଳ ଘର ନିର୍ମାତାଙ୍କୁ ଅର୍ଥ ଦେବାପରେ ନୂଆ ଜମିରେ କେଉଁଠୁ ଟଙ୍କା ଆଣି ଘର କରିବେ ତାହାକୁ ନେଇ ବି ଚିନ୍ତାରେ ଅଛନ୍ତି । ଏଭଳି ଜମି ଦ୍ୱନ୍ଦକୁ ନେଇ କିଛି ବସ୍ତିବାସିନ୍ଦା ଏକାଠି ହୋଇ ଜମି ବାବଦ ଅର୍ଥ ପଇଠ ନକରିବାକୁ ସ୍ଥିର କରିଥିବାର ସୂଚନା ମିଳିଛି ।
ସେହିଭଳି ଯେଉଁସବୁ ବସ୍ତି ଅଞ୍ଚଳର ଜଙ୍ଗଲ କିସମର ରହିଛି ସେଗୁଡିକୁ ଜାଗା ମିଶନରେ ଏଲଆରସି ପ୍ରଦାନ କରାଯାଇ ନାହିଁ । ଏମାନଙ୍କୁ ନବ ନିର୍ମିତ ଆପାର୍ଟମେଣ୍ଟରେ ଘର ଯୋଗାଇ ଦିଆଯିବ ବୋଲି କୁହାଯିବା ପରେ ସେମାନଙ୍କ ମଧ୍ୟରେ ବି ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ବଖୁରିକିଆ ଘରେ ପିଲାଛୁଆଙ୍କୁ ନେଇ ରହିବା କଷ୍ଟକର ହେବ ବୋଲି ଦର୍ଶାଇ ଅନେକ ଯିବାକୁ ଅମଙ୍ଗ । ଅନ୍ୟ ବସ୍ତି ବାସିନ୍ଦାଙ୍କ ଭଳି ସେମାନଙ୍କୁ ମଧ୍ୟ ଏଲଆରସି ପ୍ରଦାନ ପାଇଁ ମେଳି ହେବାରେ ଲାଗିଛନ୍ତି ।