ଆସନ୍ତାକାଲିଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ୍ ଖୋଲିବାକୁ ଯାଉଛି। ଶିକ୍ଷା ମନ୍ତ୍ରୀ ମନିଷ ସିଶୋଦିଆଙ୍କ ଅନୁସାରେ ଫେବୃଆରୀ ୫ ତାରିଖ ଠାରୁ ଦିଲ୍ଲୀରେ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବ। ଏହା ସହିତ କଲେଜ୍, ପଲିଟେକ୍ନିକ୍ ଡିଗ୍ରୀ, ଆଇଟିଆଇ ଏବଂ ଡିପ୍ଲୋମା ଅନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ସ୍କୁଲ୍କୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ କିଛି ନିୟମ ମାନିବାକୁ ବାଧ୍ୟତା ମୂଳକ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି। ଏହାଛଡ଼ା ସ୍କୁଲ ଭିତରେ ପ୍ରବେଶ କରିବା ପୂର୍ବରୁ ନିୟମ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି। କ୍ଲାସ୍ କରିବା ପୂର୍ବରୁ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ଲିଖିତ ଅନୁମତି ଆଣିବା ପାଇଁ କୁହାଯାଇଛି। ଦିଲ୍ଲୀରେ କରୋନା ଗାଇଡ୍ଲାଇନ୍ ଅନୁସରଣ କରିବା ବହୁତ ଜରୁରୀ। ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଏନେଇ କହିଛନ୍ତି ଯେ, ପାଖାପାଖି ୧୦ ମାସ ସ୍କୁଲ ଓ କଲେଜ୍ ବନ୍ଦ ରହିବା ପରେ ଏବେ ପରୀକ୍ଷା ଏବଂ ପ୍ରାଟିକାଲ୍ ପାଇଁ ପ୍ରସ୍ତୁତ ହେବାକୁ ଏହା ଖୋଲାଯାଉଛି। ତେଣୁ ସ୍କୁଲ୍, କଲେଜ୍ ପୂନର୍ବାର ଖୋଲିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ ବୋଲି ଶ୍ରୀ ସିଶୋଦିଆ କହିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା, ମାସ୍କର ବ୍ୟବହାର କରିବା ଏବଂ ସାନିଟାଇଜର୍ର ବ୍ୟବହାର କରିବାକୁ ଏହି ନିୟମରେ କୁହାଯାଇଥିବା ଜଣା ପଡ଼ିଛି।