ସିକ୍କିମ: ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା 60କୁ ବୃଦ୍ଧି ପାଇଛି। 30 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ 30 ଜଣଙ୍କ ମୃତଦେହ ପଶ୍ଚିମବଙ୍ଗର ତୀସ୍ତା ନଦୀ ଅବବାହିକାରେ ଲାଗିଛି।
ପ୍ରଳୟଙ୍କାରୀ ଏହି ବନ୍ୟାରେ ଭାସି ଯାଇଥିବା 142 ଜଣ ଲୋକଙ୍କ ସନ୍ଧାନ ପାଇଁ ସିକ୍କିମ୍ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗର ତୀସ୍ତା ଅବବାହିକାରେ ଖୋଜାଖୋଜି କରୁଛନ୍ତି ସୁରକ୍ଷାବାହିନୀ। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସିକ୍କିମରେ 26 ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।
ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF)ର କେନ୍ଦ୍ରୀୟ ଅଂଶରୁ 44.8 କୋଟି ଟଙ୍କା ଅନୁମୋଦନ କରିଛନ୍ତି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଦଳ(IMCT) ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ବୋଲି ଜଣାପଡିଛି।
ଅନେକ ପର୍ଯ୍ୟଟକ ଏବେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଫସି ରହିଛନ୍ତି। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ 3000 ପର୍ଯ୍ୟଟକ ଉତ୍ତର ସିକ୍କିମରେ ଅଟକି ରହିଛନ୍ତି ଏବଂ ପ୍ରତିକୂଳ ପାଗ କାରଣରୁ ହେଲିକପ୍ଟର ପଠାଇବାରେ ଅସମର୍ଥ ଥିବାରୁ ବାୟୁସେନା ଦ୍ୱାରା ଏକାଧିକ ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।