ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଆଶ୍ରମ ସ୍କୁଲରେ ଘଟିଛି ଏକ ଅଶୋଭନୀୟ ଘଟଣା । ଉକ୍ତ କନ୍ୟାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ ପଟେଲ ମହୋଦୟ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ନେଇ ଆଶ୍ରମର ଶତାଧିକ ଛାତ୍ରୀ ରାସ୍ତାରୋକ କରି ନ୍ୟାୟ ଦାବୀରେ ରାସ୍ତାରେ ବସିଥିବା ପରିଲକ୍ଷିତ ହୋଇଛି । ଛାତ୍ରୀମାନେ ନିଜ ଜିଦରେ ଅଟଳ ଅଛନ୍ତି ଯେ ଉଚିତ ନ୍ୟାୟ ନ ମିଳିବା ଯାଏଁ ବସିବା ସ୍ଥାନରୁ ଉଠିବୁ ନାହିଁ । ଏ ଘଟଣାର ତଦନ୍ତ କରି ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ଲାକାର୍ଡ ଧରି ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖାଯାଇଥିଲା । ଛାତ୍ରୀଗଣ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଥିବା ବେଳେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ଦିଆଯାଇଥିବା ଜଣାପଡିଛି । ତେବେ ଆସନ୍ତା କାଲି ପୂର୍ବାହ୍ନ ସୁଦ୍ଧା ପ୍ରଧାନ ଶିକ୍ଷକ ପ୍ରମୋଦ ପଟେଲ ଗିରଫ ନ ହେଲେ ଛାତ୍ରୀମାନେ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ତେବେ ଘଟଣାସ୍ଥଳକୁ କିଛି ବରିଷ୍ଠ ଅଧିକାରୀ ପହଞ୍ଜି ଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିବାର ମଧ୍ୟ ପରିଲକ୍ଷିତ ହୋଇଛି । ଦେଖିବାକୁ ବାକି ରହିଲା ପ୍ରଶାସନ କେତେଶୀଘ୍ର ପଦକ୍ଷେପ ନେଉଛି ।