ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ପୁଣି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ। ଏହି ଦୁଇ ନିର୍ବାଚନୀ ରାଜ୍ୟର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ପୂର୍ବ ଭାରତର ବିକାଶ ପାଇଁ ୪୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭିରୁ ଦୁର୍ଗାପୁର ପର୍ଯ୍ୟନ୍ତ ୩୪୮ କିମି ପ୍ରାକୃତିକ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହେବ। ହଳଦିଆରେ ଏଲପିଜି ଟର୍ମିଟାଲ ଓ ଫ୍ଲାଏ ଓଭରର ଲୋକାର୍ପଣ ହେବ। ହଳଦିଆ ରିଫାଇନାରିର ମଧ୍ୟ ଶୁଭ ଦିଆଯିବ।ପ୍ରଧାନମନ୍ତ୍ରୀ ଆସାମରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ଆସାମର ବିଭିନ୍ନ ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଉନ୍ନତିକରଣ ପାଇଁ ଆସାମ ମାଳା ପ୍ରକଳ୍ପର ଉଦଘାଟନ କରିବେ। ୧୧ ଶହ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତ୍ୟେକ ମେଡିକାଲରେ ୫୦୦ଟି ବେଡ୍ ଓ ଏକ ହଜାର ଲେଖାଏଁ ଏମବିବିଏସ ସିଟ୍ ରହିବ। ଏଥିସହ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଯେକୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନୀ ତାରିଖ ଘୋଷଣା ହୋଇପାରେ। ଏହାରି ଭିତରେ ନିର୍ବାଚନ ପୂର୍ବରୁ ମୋଦିଙ୍କ ଦୁଇ ଦୁଇ ଥର ପଶ୍ଚିମବଙ୍ଗ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗ ହାତେଇବା ପାଇଁ ବିଜେପି ଜୋରସୋରରେ ପ୍ରୟାସ ଚଳାଇଛି।