ବିଜୟର ସାତ ଦିନ ପରେ ବିଜେପି ଆରମ୍ଭ କରିଛି ନିଜ ପ୍ରତିଶ୍ରୁତି ପୂରଣ କରିବା । ନିର୍ବାଚନ ଫଳାଫଳର ମାତ୍ର ସାତ ଦିନ ପରେ ହିଁ ଯମୁନା ନଦୀକୁ ସଫା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏଥର ଦିଲ୍ଲୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ଯମୁନା ନଦୀ ପ୍ରଦୂଷଣ । ଆପ୍ ଓ ବିଜେପି ଉଭୟ ଯମୁନା ନଦୀକୁ ନେଇ ଭୋଟ୍ ରାଜନୀତି କରିଥିଲେ । ତେବେ ବାଜି ମାରି ନେଇ ଯାଇଛି ବିଜେପି । ଆଉ ଏବେ ଦଳ ସରକାର ଗଠନ ପୂର୍ବରୁ ହିଁ ଯମୁନା ସଫେଇ କାମ ଆରମ୍ଭ କରି ଦେଇଛି ।
ସୂଚନା ଅନୁସାରେ ଯମୁନା ନଦୀକୁ ସଫା ରଖିବାକୁ ୬୮୨ କୋଟି ବଜେଟ ସହ ୧୯୯୩ ମସିହାରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲେ ତତକାଳୀନ ଦିଲ୍ଲୀ ସରକାର। ଭାରତ ଓ ଜାପାନର ମିଳିତ ଭାବେ ଏହି ଆକ୍ସନପ୍ଲାନ କରିଥିଲେ । ୨୦୦୪ରୁ ୨୦୦୮ରେ ଆକ୍ସନ ପ୍ଲାନ ଟୁରେ ୧୫୧୬କୋଟି ଖର୍ଚ୍ଚ ହୋଇଥିଲା । ସେହିପରି ତୃତୀୟ ମାଷ୍ଟରପ୍ଲାନରେ ୧୬୭୮୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିସହ ୨୦୧୫ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯମୁନା ସଫେଇ ପାଇଁ । ତଥାପି କାହିଁକି ପ୍ରଦୂଷିତ ରହିଛି ଯମୁନା ଏନେଇ ଅନେକ ପ୍ରଶ୍ନ ଉଠୁଛି ।
କହିବାକୁ ଗଲେ ଦିଲ୍ଲୀ ଦେଇ ପ୍ରବାହିତ ଯମୁନା ୬୭% ପ୍ରଦୂଷିତ ହୋଇ ରହିଛି । ୯୨ ନାଳ ପାଣି ସିଧା ଯମୁନା ପାଣିରେ ମିଶେ । ରାଜଧାନୀରେ ୩୫୦୦ ସ୍ୱରେଜ କେନାଲ ପାଣି ଯମୁନାରେ ମିଶୁଛି ।
ତେବେ ଯମୁନା ନଦୀକୁ ସଫା କରିବାକୁ ଚାରୀ-ମୁଖୀ ରଣନୀତି ମାଷ୍ଟରପ୍ଲାନ କରାଯାଇଛି । ୩ବର୍ଷ ଭିତରେ ସମ୍ପୂର୍ଣ୍ଣ ସଫା କରି ନଦୀକୁ ଦିଲ୍ଲୀକୁ ଆସ୍ଥା ଓ ଲାଇଫଲାଇନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ଓ ବିଶାଳ ମେସିନ ସଫା କାମ ଆରମ୍ଭ କରିଛି । ଦଳ କହିଛି ସାବରମତୀ ରିଭରଫ୍ରଣ୍ଟ କରି ଯମୁନାକୁ ଗଢ଼ିତୋଳିବ ।ସେପଟେ ଯମୁନା ନଦୀରେ ଆରମ୍ଭ ହୋଇଛି ସଂଧ୍ୟା ଆଳତୀ । ପୁଣି ଥରେ ଯମୁନାକୁ ଦିଲ୍ଲୀର ପରିଚୟ ବନାଇବାକୁ ଲକ୍ଷ୍ୟ ରଖିଛି ବିଜେପି ।