ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ତଥା ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ରହିଛି ୯୬.୦୭%। ସବୁ ବର୍ଷ ଭଳି ପୁଣି ଥରେ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୩୯%। ୩୦ ଜିଲା ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ପାସ୍ ହାର ୯୭.୯୮% ରହିଥିବା ବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍ ହାର ୯୩.୯୧% ରହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ୫ଲକ୍ଷ ୪୧ହଜାର,୦୬୧ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫ଲକ୍ଷ ୩୦ହଜାର୧୫୩ ଛାତ୍ରୀଛାତ୍ର ପାସ୍ କରିଛନ୍ତି ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ସକାଳ ସାଢେ ୧୦ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ମାଟ୍ରିକ୍ ସହ ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ପ୍ରଥମ)ର ଫଳାଫଳ ପ୍ରକାଶ କରାଯାଇଛି ।
ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ହୋଇଛି । ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ OR10<Roll No> ଟାଇପ୍ କରି ମୋବାଇଲ୍ ନଂ ୫୬୭୬୭୫୦ କୁ ଏସ୍ଏମ୍ଏସ୍ କରି ପରୀକ୍ଷାଫଳ ପାଇପାରିବେ। ଦିନ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟର୍ (ନମ୍ବର) ସ୍କୁଲରୁ ମିଳିବ । ବିଦ୍ୟାଳୟର ମୁଖ୍ୟ/ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଟାବୁଲେସନ୍ ରେଜିଷ୍ଟର୍କୁ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାଫଳ ପ୍ରକାଶ ପରେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ମାଟ୍ରିକ ପାଇଁ ଅନ୍ଲାଇନ୍ରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍ଲାଇନ୍ରେ ରିଚେକିଂ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।