ପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଆନ୍ଧ୍ରପ୍ରଦେଶକୁ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି । ଆସନ୍ତା କାଲି ବିଜେଡି ସମର୍ଥନରେ ଆନ୍ଦୋଳନ କରିବ କ୍ରିୟାନୁଷ୍ଠାନ କମିଟି । ଓଡିଶାରେ ବିଜେପି ସରକାର, ଛତିଶଗଡରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥାଇ ଯଦି ପୋଲାଭରମ୍ ପ୍ରକଳ୍ପ ସମସ୍ୟାର ସମାଧାନ ନହେବ ତେବେ ଏହି ସମସ୍ୟାର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ କ୍ର୍ରିୟାନୁଷ୍ଠାନ କମିଟି । ଏନେଇ ଆସନ୍ତା କାଲି ମୋଟୁ ଅଞ୍ଚଳରେ କମିଟି ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନକୁ ବିଜେଡି ସମର୍ଥନ କରିବ ।
କେନ୍ଦ୍ରର ଏକ ପାଖିଆ ନିଷ୍ପତ୍ତିରେ ମାଲକାନଗିରି ଜିଲ୍ଲା ବୁଡ଼ିବା ସହ ଓଡ଼ିଶାର ବ୍ୟାପକ କ୍ଷତି ହେବ । ପୋଲାଭରମ ପ୍ରକଳ୍ପରେ ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଇ ଓଡିଶାକୁ ଉପେକ୍ଷିତ କରୁଛନ୍ତି ଡବଲ ଇଞିନ ସରକାର ବୋଲି କହିଛି ବିଜେଡି । ବିଜେଡିର କହିବାନୁସାରେ ପଡୋଶୀକୁ ଖୁସି ପାଇଁ ଓଡ଼ିଶାକୁ ଦୁଃଖ ଦେଉଛି ଡବଲ ଇଂଜନ ସରକାର । ପୋଲାଭରମ ପ୍ରକଳ୍ପ କାମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଆନ୍ଧ୍ର ସରକାରଙ୍କୁ ସ୍ବତନ୍ତ୍ର ଅନୁଦାନ ଦେଇଛି ଡବଲ ଇଞ୍ଜିନ ସରକାର । ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଓଡିଶା ମାନଚିତ୍ରରୁ ହଜିଯିବ ମାଲକନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକର ବହୁ ଗ୍ରାମ ।
ସୂଚନା ଅନୁସାରେ ମହାନଦୀ ଉପରେ ଛତିଶଗଡ ସରକାର ଉଚ୍ଚ ଉଚ୍ଚ ବ୍ୟାରେଜ ନିର୍ମାଣ କରିଥିବାରୁ ଏହା ଓଡିଶା ପାଇଁ ବିପଦ ସୃଷ୍ଟି କରିଛି । ଚାଷୀ ଆବଶ୍ୟକ ମୁତାବକ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଏବଂ ଏନେଇ ଅନେକଗୁଡିଏ ସମସ୍ୟା ଦେଖା ଦେଇଛି । ଏହି ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି । ହେଲେ ଦୀର୍ଘବର୍ଷ ହେବ ମାମଲାର ସମାଧାନ ନ ହୋଇପାରିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି ।